ସମ୍ପୂର୍ଣ ବ୍ରହ୍ମ ହେ ତୃପ୍ତ କର ମୋର ଅପୂର୍ଣ ଆତ୍ମା,
ଶରଣ ଗଲି ମୁଁ ତାରଣ ଉଚିତ କରିତକର୍ମା ।
ହରି ନ ହରିଲେ କଦନ ହରିବ କେ ଅବା ଆଉ,
ହାରିବି ସିନା ଜୀବନ ତୋ କୃପା ବିନୁ ମହାବାହୁ ।
ଅନ୍ତରୁ ଅନ୍ତର ନ କର କରତା ପଡେ ପୟର,
କର କିଂକର ପଣେ ସ୍ଵୀକାର ହେ ପ୍ରଭୁ ଚକ୍ରଧର ।
ଅଜ୍ଞାନ ଅନ୍ଧାରେ ଅଣ୍ଡାଳି ଚାଲିଛି ଅଯଥା ସିନା,
ପାଇଲିନି କିଛି ତୋ ଭାବ ସମ୍ପତ୍ତି ତୋ ଦୟା ବିନା ।
ବୁଡିଛି ଆକଣ୍ଠ ମାୟା ମୋହ ଜଳେ ହେ କଳ୍ପତରୁ,
ଆପଣ ପଣ କରି ଉଦ୍ଧାର ମୋତେ ଅମାଅନ୍ଧାରୁ ।
ଦୟାନିଧି ବୋଲି ତୋତେ ଶରଧାରେ କହନ୍ତି ଲୋକେ,
ଦୟାସାଗରରୁ ବୁନ୍ଦେ ଦିଅ ହରି ମୋତେ ଏ ଲୋକେ ।
ଅସାର ସଂସାର ସମ୍ପଦ ନ ଚାହେଁ ଅଗତି ଗତି,
ଦିଅ ଅନୁରକ୍ତି ମନେ ଜ୍ଞାନଭକ୍ତି ମୁଁ ମୁଢ ମତି ।
No comments:
Post a Comment