କେଡେ ସରାଗରେ ସାଇତି ଥିଲି ମୁଁ ଗୋଲାପଟି ତୁମ ପାଇଁ,
ଦିନ ଗଡି ବେଳ ଦୁଇ ଘଡି ହେଲା ତୁମେ ଯେ ଆସିଲ ନାହିଁ ।
ମନ କଥା ଯେତେ ମନରେ ରହିଲା କହି ପାରିଲିନି କିଛି,
ତୁମେ କି ଜାଣିବ ତୁମ ବିନା ମୋର ଦିନ କେମିତି କଟିଛି ।
ଜଳଦ କି ଜାଣେ ଚାତକର ମନ ତା ବିନୁ କେଡେ ଉଛନ,
ଚାନ୍ଦ କିବା ବୁଝେ ପୃଥିବୀର ସଞ୍ଜ ତାହା ବିନା ଛିନ୍ନଭିନ୍ନ ।
ସୂରୁଜ କି ବୁଝେ ତରୁଲତା ପାଇଁ କିସ ବା କିରଣ ମୂଲ,
ବାଦଲ ଉହାଡ଼େ ବଡ ମଉଜରେ ଖେଳେ ଲୁଚକାଳି ଖେଳ।
ତିରିଲା ଜାତିଟା ବଡ ହୃଦହୀନ ସାଙ୍ଗ କହୁଥିଲା ମତେ,
ବୁଝି ମୁଁ ପାରେନା ତଥାପି ତୁମକୁ କେମିତି ଗଲି ପରତେ ।
କପାଳ ଲିଖନ ପାଉଛି କଷଣ କେ କରି ପାରିବ ଆନ,
ଖୁସି ଦିଅ ଅବା ଦୁଃଖ ମତେ ଦିଅ ତୁମକୁ ଦେଇଛି ମନ ।
No comments:
Post a Comment