Friday, 16 August 2019

ଆହେ ନୀଳଶଇଳ

ମୋ ଜୀବନ ଦୀପ ଜାଳିଛୁ
              ବଡ କରୁଣା ତୋର,
ଅଳଙ୍କୃତ କରି ସେଥିରେ
               ଅନେକ ଉପହାର । 

କି ଦେଇ ସୁଝିବି ତୋ ଋଣ
               ବୁଦ୍ଧି ପାଉନି  କିଛି, 
ନଗଣ୍ୟ ନିଉନ ମଣିଷ
         ମୋ ଠାରେ କିସ ଅଛି ।   

ଶରଧା ଦୀପଟି ଜାଲିଛି
            ଦେଇ ଲୁହ ତଇଳ,
ବିଶ୍ଵାସ ସଳିତା ଜଳେଇ
            ଆହେ ନୀଳ ଶଇଳ। 

ଜଳିକି ଜାଳିବି ଏ ଦୀପ
           ପ୍ରଭୁ ତୋହରି ପାଇଁ,
ଲିଭିଯିବା ଯାକେ ଥିବି ମୁଁ 
        ଜଗା ତୋ ମୁଖ ଚାହିଁ ।    

Sunday, 11 August 2019

ତୁମ ସମ ବନ୍ଧୁ ଥାଉଁ ଥାଉଁ ଶ୍ୟାମ

ତୁମ ସମ ବନ୍ଧୁ ଥାଉଁ ଥାଉଁ ଶ୍ୟାମ
           ବନ୍ଧୁ ମୁଁ ଲୋଡିବି ଆଉ କାହିଁକି?
କାନ୍ଦି କାନ୍ଦି ଆଖି ନାଲି ପଡିଗଲେ
        ଶୁଣିଛି ମୋ ଦୁଃଖ ଆଉ କେହି କି?  

ଜୀବନ ଭାର ମୁଁ ସହାସ୍ୟେ ଉଠାଏ
         ସାହା ଯେ ହୁଏ ଅଦୃଶ୍ୟେ ଥାଇକି,
ଝୁଣ୍ଟି ପଡିଗଲେ ହାତ ଧରି ନିଏ
           ସେ ଭୁଜକୁ କଣ ମୁଁ ଚିହ୍ନିନି କି ? 

ମୁହଁ ଶୁଖିଗଲେ ମନ ବୁଝେ ଯିଏ
      ସେ ମିତ ମୋହର ତୁମେ ନୁହେଁ କି?
ସବୁ କଷଣରେ ସାହା ତୁମେ ହୁଅ
ଏ କଥା କି ମୋତେ ଜଣା ନାହିଁ କି ?

ଛଅ  ଖଣ୍ଡ କାଠ ଛଡା ଏ ଜୀବନେ
    କିସ ଆଉ ମୋର ଲୋଡା ଅଛି କି?
ତୁମେ ପରା ମୋର ଶାଶ୍ଵତ ମଇତ୍ର
ସେ ବେଳେ ମୋ ପାଶେ ଆସିବନି କି ? 

(ମୋର ପ୍ରଥମ ଭଜନ ଆଲବମ ପାଇଁ ଚୟନୀତ ଆଉ ଏକ ସମର୍ପଣ)

Friday, 9 August 2019

ଆହେ ଜଗନ୍ନାଥ, କୁହ ମୁଁ କିସ କରିବି

ଆହେ ଜଗନ୍ନାଥ, କୁହ ମୁଁ କିସ କରିବି
ମୋର ଏ ଜୀବନ, ତୋ ପ୍ରଦତ୍ତ ଋଣ, କିପରି ତାହା ସୁଝିବି।  

ଜୀବନ କଟିଲା, ଅସାର କାର୍ଯ୍ୟରେ,

ଦଉଡି ଚାଲିଲି, ମୁଁ ମାୟା ପଛରେ,
ତୋତେ ନ ଭାଳିଲି, ସୁଖେ ହୋଇ ଭୋଳ, 
ଦେଖି ସାୟଂ କାଳ,  ଲାଗୁଛି  ବ୍ୟାକୁଳ,
ହୋଇଲା ଉଛୁର,   କେତେ ଦିନ ବା ବଞ୍ଚିବି। 
ଦିଅ ମୋତେ ଜ୍ଞାନ, ଆହେ ଦାତା ମୋର, କି ବୁଦ୍ଧି ଏବେ କରିବି। 
କିପରି ତାହା  ସୁଝିବି।   

ତୁମ ପାଦ ତଳ, ଧୁଳିକଣା ମୁହିଁ,

ବଡ ବିଶ୍ଵାସରେ, ତୋତେ ଅଛି ଚାହିଁ,
ତୁମ ସାହା ବିନା, ନିଆଶ୍ରୀ ମୁଁ  ସିନା, 
କରି ପାରେ ନାହିଁ, ନିଜର କଳନା,
ନ ରଖିଲେ ମୋତେ, ଏ ଜୀବନ ମୁଁ ହାରିବି। 
ଆହେ ପରମେଷ୍ଟୀ, ଏ ଅନ୍ଧର ଯଷ୍ଟି, କି ଭାବେ ତୋତେ ପୂଜିବି। 
କିପରି ତାହା ସୁଝିବି। 
copyrights pradiptapanda2015   
   













Thursday, 8 August 2019

ତୋ ପୁରୀକୁ ଚାଲି ଯିବି

ମୋ ମନ କହୁଛି , ତୋ ପୁରୀକୁ ଚାଲି ଯିବି,
ଜଗତ ଉପେକ୍ଷୀ, ଆହେ ଚକାଆଖି, ତୋ ସେବାରେ ଲାଗି ଯିବି।

ଯାହା ଇଛା ବଳେ, ଆସିଛି ମହିରେ,
ସବୁ ମୁଁ ପାଇଛି, ଯାହା କରୁଣାରେ,
ଏ ବିଶାଳ ସୃଷ୍ଟି, ସୃଜନ ଯାହାର,
ମୁଁ ଯାହା କିଙ୍କର,ତୁ ସେହି ଠାକୁର,
ତୋ ଚରଣ ତଳେ, ଆନନ୍ଦରେ ପଡିଥିବି। 
ଶ୍ରୀକ୍ଷେତ୍ରରେ ରହି, ତୋ ଛତ୍ରଛାୟାରେ, ଶେଷ ଜୀବନ କଟିବି।
ତୋ ସେବାରେ ଲାଗି ଯିବି।  

ତୁ ଦିବ୍ୟ ଖୁସିର, ଅସରନ୍ତି ସ୍ରୋତ,
ମୋ ଆଶା ଭରସା, ତୋ ଠାରେ ନିହିତ,
ତୁ ମୋ ଅନ୍ତରର, ପବିତ୍ର  ସ୍ପନ୍ଦନ   
ତୋ ପାଦପଦ୍ମରେ, ଯାଇ ମୁଁ ଶରଣ,
ଆଶ୍ଵସ୍ତ ହୋଇ ମୁଁ ,ଜୀବନ ସମର୍ପି ଦେବି। 
ନିଷ୍ଠାପର ହୋଇ, ଭକତିରେ ରହି, ତୋ ଆଦେଶ ପାଳିଯିବି। 
ତୋ ସେବାରେ ଲାଗି ଯିବି। 
 copyrights pradiptapanda2015   
   

Sunday, 4 August 2019

କ୍ଷୀରଚୋରା ଗୋପୀନାଥ, ରେମୁଣା ୨

ନମୋ ଶ୍ରୀନାଥ ନାରାୟଣ
           ସକଳ କର୍ମର କାରଣ,
ଇଚ୍ଛାର ଉତ୍ସ ତୁ ମୋହନ
           ତୁ ପୁଣି ତାହାର ନିଦାନ।

 ଗୋସ୍ଵାମୀ ତୁରିତ ଭାଳିଲେ
      ଏ କି କାର୍ଯ୍ୟକୁ ମନ କଲେ,
ମଣୋହି  ପୂର୍ବରୁ ଭୋଜନ
      କାହିଁକି କରିଲେ ସେ ମନ।

ନୁହେଁ ଏ ଭକ୍ତର ଉଚିତ 
       ଦେବଙ୍କୁ ଦେବ ସେ ଉଚିଷ୍ଟ,
ନିଜ ଉପରେ ହେଲେ କ୍ଷୁର୍ଣ,
      ଯେଣୁ ସେ ଥିଲେ ପ୍ରଭୁପ୍ରାଣ। 

ମନ ବଚନ ଆଚରଣ
        ଥାଏ ସଦା ଏକ ସମାନ,
ପ୍ରଭୁ ସନ୍ତୋଷେ ଯତ୍ନବାନ
          ଶୁଦ୍ଧ ଭକ୍ତର ଏ ଲକ୍ଷଣ ।

ନିଭୃତେ ଗଲେ ଭକ୍ତ ବର,
            ନାମ ଜପିଲେ ନିରନ୍ତର,
"ପାପ ଛୁଇଁଲା କିଆଁ ମନ,
       ମୋ ଦୋଷ କ୍ଷମ ଭଗବାନ।"

ରାତ୍ରି ହୋଇଲା ଉପଗତ,
           ପୂଜାରୀ ଗଲେ ନିଦ୍ରାଗତ,
ସ୍ଵପ୍ନେ ଦେଖିଲେ ଭଗବାନ,
      ତାଙ୍କ ସମ୍ମୁଖେ ବିଦ୍ୟମାନ ।

ବସନେ ପାତ୍ରେକ ଲୁଚାଇ
        କ୍ଷୀର କିଞ୍ଚିତ ତହିଁ ନେଇ,
କହିଲେ ନିଦ୍ରା କର ଭଗ୍ନ,
       ଦିଅ ପୁରୀଙ୍କୁ କରି ଯତ୍ନ । 

ପୂଜାରୀ ପୁରୀଙ୍କୁ ମିଳିଲେ
       କ୍ଷୀର ପାତ୍ରଟି ତାଙ୍କୁ ଦେଲେ,
ଗୋସ୍ଵାମୀ ତୋ ଜୀବନ ଧନ୍ୟ
          ତୁ ଭକ୍ତ ବଡ ଭାଗ୍ୟବାନ।

ତୋ ପାଇଁ ପ୍ରଭୁ ଚୋରୀ କଲେ
        କ୍ଷୀରଚୋରା ନାମ ବହିଲେ,
ଭକତି ତୋର ବଳବାନ,
     ତୋ ପ୍ରୀତିରେ ନନ୍ଦନନ୍ଦନ।  

ସେ କ୍ଷୀରଚୋରା ଗୋପୀନାଥ 
        ଚରଣେ ରହୁ ମୋର ଚିତ୍ତ,
ତା ପାଇଁ କାନ୍ଦୁ ଏ ନୟନ,
   ତା କୀର୍ତି କରେ ମୁଁ ଗାୟନ ।            





            

Saturday, 3 August 2019

କ୍ଷୀରଚୋରା ଗୋପୀନାଥ;ରେମୁଣା୧

ଧନ୍ୟ ତୁ ତୋର ଭକ୍ତ ଧନ୍ୟ,
                ପରସ୍ପରରେ ସମର୍ପଣ ।
ଭକ୍ତ ସନ୍ତୋଷେ ତୋ ପ୍ରଯତ୍ନ,
          ତୋ ତୋଷେ ତୁଷ୍ଟ ତାର ମନ।

ଭକତ ମନ ବୃନ୍ଦାବନ,
          ଆରାଧ୍ୟଙ୍କର  ବାସସ୍ଥାନ।
ଗାଇଲେ ନ ସାରିବ ଗାଥା,
    ସେ ଦିବ୍ୟ ରମ୍ୟ ଲୀଳା କଥା।

ତୋ ଭକ୍ତ ମାଧବେନ୍ଦ୍ର ପୁରୀ,
          ଜିଏଁ ତୋ ପଦ ଅନୁସରି।
ଠାବ ତା ପୂଣ୍ୟ ବୃନ୍ଦାବନ,
       ତୋ ବିନୁ ଭାବ ନାହିଁ ଆନ।

ଚଳିଲେ ଜଗନ୍ନାଥଧାମ,
        ଯେ ଚାରି ଧାମେ ସର୍ବୋତ୍ତମ
ତୋ ପୂଜା ଉଦ୍ଦେଶ୍ୟେ ଚନ୍ଦନ,
           ନେବାକୁ ସ୍ଥିର କରି ମନ।

ନବଦ୍ଵୀପରେ କରି ଠାବ,
       ପୂଜିଲେ ସନ୍ତୋଷେ କେଶବ,
ରେମୁଣା କରି  ଆଗମନ,
      କଲେ ଗୋପୀନାଥ ଦର୍ଶନ।

ମନ୍ଦୀରେ ଦେଖି ଖିରି ଭୋଗ,
       ହୋଇଲା ମନରେ ସରାଗ,
"ବୃନ୍ଦାବନରେ ଏ ସମାନ,
      ଭୋଗେ ସେବନ୍ତି ମୁଁ ମୋହନ। 

ପାଆନ୍ତି ଯେବେ ଟିକେ କ୍ଷୀର,
            ଜାଣନ୍ତି  ବିଧି  ପ୍ରସ୍ତୁତିର,
ଯେ ଭୋଗେ ତୁଷ୍ଟ ପ୍ରଭୁ ମନ,
     ସେ ଭୋଗ  ଦ୍ୟନ୍ତି  ଦୈନନ୍ଦିନ ।"  


ଭକ୍ତର ଧ୍ୟାନ ସର୍ବଦା ଭଗବାନଙ୍କୁ ସନ୍ତୁଷ୍ଟ  କରିବାକୁ ଥାଏ । 






Friday, 2 August 2019

ଜଗା କଳିଆରେ, ଧନ ମଳିଆରେ

ଜଗା କଳିଆରେ,
       ଧନ ମଳିଆରେ, 
            ତୋ ମନ୍ଦିର କେତେ ଦୂର। 
ମନ ବଳାଇଛି,
     ତୋତେ ଦେଖିବାକୁ,
               କେତେ ଦୂର ସ୍ଵର୍ଗପୁର। 

ମୁଁ ନିଜେ ଚାହିଁଲେ,
             ଯାଇ ନ ପାରିବି,
             ମନ ନ ଡାକିଲେ ତୋର । 
ସାତ ପାହୁଣ୍ଡରେ,
          ଥିବ ତୋ ମନ୍ଦିର,
                  ରହିଯିବି ସାତ ଦୂର ।

ମନେ ରଖି ଥାଆ,
            ବିଚରା ଦାସଟି,
            ପ୍ରତୀକ୍ଷାରେ ଅଛି ତୋର। 
ଆସିଲେ ତୋ ଦୟା,
          ଡାକି ନେବୁ ମୋତେ,
                ବାନ୍ଧି ପୀରତିର ଡୋର ।    

ପ୍ରଭୁଙ୍କ ଦୟା ବିନା ତାଙ୍କ ଦର୍ଶନ ମଧ୍ୟ ମିଳେନା, ଘରୁ ବାହାରିବାର ଯୋଜନା ମଧ୍ୟ ବଦଳିଯାଏ। ତେଣୁ ତାଙ୍କ ଦର୍ଶନ ସୌଭାଗ୍ୟ ପାଇଁ ଏଠି ତାଙ୍କ କୃପା ଭିକ୍ଷା କରା ଯାଇଛି । 
( ମୋର ପ୍ରଥମ ଭଜନ ଭିଡିଓ ଆଲବମ ପାଇଁ ଚୟନୀତ ଆଉ ଏକ ନିବେଦନ ) 

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...