ସମୟ ନଦୀର ପ୍ରଖର ସ୍ରୋତରେ ଆମେ ଦୁହେଁ,
ସମାନ୍ତର ଭାସି ଚାଲିଥିବା ପତ୍ରଦ୍ୱୟ ଭିନ୍ନ କିଛି ନୁହେଁ ।
ଜାଣେନା ମୁଁ, ତୁମେ କଣ ଜାଣିଛ କି କେବେ କିଭଳି,
କେଉଁ ଅତର୍କିତ ପବନର ତାଡନାରେ ଆମର ଅନିଚ୍ଛା ସତ୍ଵେ,
ତୁମେ ଭାସିଯିବ ମୋଠାରୁ ଦୂରକୁ ଦୂରକୁ,
ଅଥବା ଭଉଁରୀରେ ପଡି ଆମଭିତରୁ କେହି ଜଣେ ବୁଡିଯିବ,
ଅନ୍ୟଜଣକୁ ନିଃସଙ୍ଗତାର ସହ ସଂଘର୍ଷ କରିବାକୁ ଛାଡିଦେଇ।
କିନ୍ତୁ ପରସ୍ପରଠାରୁ ବିଚ୍ଛିନ୍ନ ହେବା ଆଗରୁ,
କାଳର କରାଳ ପ୍ରବାହରେ ଆମର ସ୍ଥିତି ନିଶ୍ଚିହ୍ନ ହେବା ପୂର୍ବରୁ,
ଆମେ ପରସ୍ପରକୁ ଦେଇଯିବା,
ନିଷ୍କାମ ଶ୍ରଦ୍ଧାର ଏକ ଅଦ୍ଭୁତ ସୁନ୍ଦର ଅନୁଭୂତି,
ଯାହା ହେବ ଆମ ଅବଶ୍ୟମ୍ଭାବି ନିଃସଙ୍ଗ ଜୀବନର ପାଥେୟ,
ଏକ ଅଭୂଲା, ମଧୁର ସ୍ମୃତି ।
No comments:
Post a Comment