ଗୋଟିଏ ଅମାୟିକ ମଣିଷକୁ
ପାଖରେପାଇ,
ନିଜର ଭାବି,
ମୁଁ ଖୋଲି ଯାଇ ଥିଲି,
କହି ଯାଇଥିଲି,
ମୋ ମନର ଯେତେ ଅକୁହା କଥା
ନିଛନ୍ଦ, ନିର୍ଦ୍ଵନ୍ଦ ନିରୀହ,
ପିଲାଟିଏ ହୋଇ ।
ଠିକ ଯେମିତି,
ବହୁ ଦିନରୁ ଏକତ୍ର ବର୍ଷାଜଳ,
ନଦୀର ନରମ କୁଳକୁ ଭାଙ୍ଗିଦେଇ,
ମାଡି ଯାଏ ଗାଁ ଗଣ୍ଡା, ବିଲବାଡିକୁ
ବନ୍ୟା ଜଳରେ ଭସେଇ ଦେଇ ।
ତୁମେ ହଠାତ ଉଠି ଚାଲିଗଲ,
ନିଜ କାନରେ ହାତ ଦେଇ,
ଜାଣେନା କଣ ପାଇଁ ।
କୁହ ଥରେ,
ଭୁଲଟା କାହାର ରହିଗଲା
ନଦୀର କି ବର୍ଷାଜଳର,
କିମ୍ବା ସେ ନରମ କୂଳର,
ବନ୍ୟା ପାଇଁ ।
ମୋର,
କି ମୋ ନିରୀହତାର,
କି ଅବା ତୁମ କୋମଳ ହୃଦୟର
ତୁମର ଉଠି ଚାଲିଯିବା ପାଇଁ ।
No comments:
Post a Comment