Sunday 17 May 2020

ଅଳି

ଶିଖିପୁଛ ମଣ୍ଡନ, ଭବ ଭୟ ଖଣ୍ଡନ
ହରିତ ବସନ ବନମାଳୀ,
କଂସ ବିନାଶନ, କେଶି ମୁର ନାଶନ,
ଭକ୍ତ ଜନ ନୟନପିତୁଳି।

ଅଖିଳ ଜଗ ବନ୍ଦନ, କାଳୀୟ ଦର୍ପ ଦଳନ,
ଭାବ କୁସୁମକୁ ତୁମ୍ଭେ ଅଳି
ଗୋପୀ ଜନ ବିନୋଦନ, ପାପୀ ଜନ ତାରଣ,
କବି କି ପାରିବ ଗୁଣ କଳି।

କର କୃପା ଅନନ୍ୟ, ଆହେ ନନ୍ଦ ନନ୍ଦନ
ଭବ ବାଧା ମାନ ଦିଅ ଟାଳି,
ହେଉ ଏ ଜୀବନ ଧନ୍ଯ,
ଧରି ତୁମ୍ଭର ଚରଣ,
ଏଇ ମାତ୍ର  ତୁମ୍ଭ ଠାରେ ଅଳି ।

ଅଳି-- ଭ୍ରମର
ଅଳି -- ନିବେଦନ



Friday 8 May 2020

ରଥ ଯାତ ୧

ହେ ଜଗତ ରାଜା ପ୍ରଭୁ ଜଗନ୍ନାଥ
ଉତ୍କଳର ତୁମ୍ଭେ ହୃଦୟ ସଙ୍ଗୀତ
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

ବିଧର୍ମୀ ଶାସନ କରି ହୀନ ମନ
ଆଣିଛି ଅତୀତେ ଶତ ବାଧା ବିଗ୍ନ
କରି ପାରି ନାହିଁ ତୋ ଗୌରବ ହତ
ତୁମ୍ଭ ଶ୍ରେଷ୍ଠପଣ ହୋଇଛି ସାବ୍ୟସ୍ତ 
ଚାଲିଛି ନିରତେ ତୁମ୍ଭ ଜୟ ରଥ
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

ଗତ ବାହୁଡାରେ ତୁମ୍ଭ ବଡ ଦାଣ୍ଡ
ହୋଇ ଜଳାର୍ଣବ ବିହିଲା ଯା କାଣ୍ଡ
ତହିଁକୁ କରିଲ ଉପାୟ ତୁରିତ
ଶୁଷ୍କ ହେଲା ଜଳ ଚାଲିଲା ତୋ ରଥ 
ଭକତଙ୍କ ଚିତ୍ତ ହୋଇଥିଲା ତୃପ୍ତ 
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

ତାରିବାକୁ ପାପୀମାନଙ୍କ ପାତକ
ଭକ୍ତ ରଞ୍ଜନକୁ ହେ ଭବ ପାଳକ
କଳି କାଳ ପାଇଁ ହେଲ ଆବିର୍ଭୂତ 
ସ୍ଵୟଂଭୂ ବିଗ୍ରହ ତୁମ୍ଭେ ଲକ୍ଷ୍ମୀକାନ୍ତ
କେ ଅବା ରୋଧିବ ତୁମ୍ଭ ଯାତ୍ରା ପଥ 
ହୋଇବ ନିଶ୍ଚିତ  ତୁମ୍ଭ ରଥ ଯାତ
କୋରୋନା କି ଅବା କୀଟାଣୁଟି ମାତ୍ର ।

Wednesday 6 May 2020

ଦର୍ଶନ ସୁଖ


ବୁଝିଲ ନାହିଁ  କାଳିଆ ପ୍ରେମୀଙ୍କ ହୃଦ ଆବେଗ,
ଅବରୁଦ୍ଧ କଲ କିଆଁ  ତୁମ୍ଭ ଦର୍ଶନର ମାର୍ଗ ।

ଅବହେଳିତ  ହେଲା କି ତୁମ୍ଭର ପୂଜା ମାର୍ଜନା
ଷାଠିଏ ପଊଟି ଭୋଗ ହୋଇ ଯାଇନି ତ ଊଣା
ପୁଣି କେଉଁ ଦୋଷ ଦେଖି ହୋଇଲ ପ୍ରଭୁ ହେ ରୁଷ୍ଟ
ଭକତଙ୍କ ପାଇଁ କିଆଁ ରୁଦ୍ଧ ରଖିଲ କପାଟ
ତୁମ୍ଭ ଭକତଙ୍କ ଚିତ୍ତ ଛଟପଟ  ଛଟପଟ
ପାଇଲେ ନାହିଁ  ଭକତେ ତୁମ୍ଭ ସେବାର ସୌଭାଗ୍ୟ
ବୁଝିଲ ନାହିଁ  ସାଆଁନ୍ତେ ପ୍ରେମୀଙ୍କ ହୃଦ ଆବେଗ। 

ଉତ୍କଳ ହୃଦ ସ୍ପନ୍ଦନ ତୁମ୍ଭେ କରୁଣାନିଧାନ
ପ୍ରତି ସୁଖର ସାଧନ ପ୍ରତି ପୀଡାର ନିଦାନ
ତୁମ୍ଭ ବିନା ଚହୁଁ  ଦିଶି ସିନା ଘୋର ଅମା ନିଶି
ସେ ଶ୍ରୀମୁଖ ଦରଶନ ତହିଁକୁ  ଶୀତଳ ଶଶି
ସବୁ ଜାଣି କିଆଁ ପ୍ରଭୁ କୁହ ତ ଯାଇଛ ରୁଷି
କେମିତି ବଞ୍ଚିବେ ଊଣା ହେଲେ ତୁମ୍ଭ ଅନୁରାଗ
ବୁଝିଲ ନାହିଁ  ଗୋସାଇଁ  ପ୍ରେମୀଙ୍କ ହୃଦ ଆବେଗ।


ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...