ଆହେ ଗୋଲକବିହାରୀ,
ବାରେ ଧରାଧାମେ ଆସ ଅବତରି।ଘୋଷା।
କଳି କରାଳ ରୂପକୁ ଧରି,
ଦେଖ ଏ ଧରା ଗଲାଣି ଘେରି।
ଜୀବେ ଦୟାଭାବ ନ ବିଚାରି,
ଅକର୍ମ କଲାଣି ଦେହଧାରୀ।
ସତ୍ୟ ଲାଗିଲାଣି ଅସଙ୍ଗତ,
ମିଥ୍ୟା ହେଲା ଲୋକଙ୍କ ବିଶ୍ଵସ୍ତ।
ସାଗରରେ ଲବଣର ପ୍ରାୟ,
ବ୍ୟକ୍ତି ହେଲା ମିଥ୍ୟାର ଆଶ୍ରୟ ।
ଚାଲିଲାଣି ଧନର ଶାସନ,
ନିର୍ଧନ ନିରୁପାୟ ମଉନ,
ଅଧସ୍ତନ ବିଦ୍ୟା ଆଉ ଜ୍ଞାନ,
ମୂର୍ଖ ବସିଅଛି ସିଂହାସନ।
ନାରୀ ସମ୍ମାନ ହେଲା ଲୁଣ୍ଠିତ,
ଧୋକାକୁ ବ୍ୟକ୍ତି ନୁହେଁ କୁଣ୍ଠିତ।
ବିଶ୍ଵାସ ବଦଳେ ମିଳେ ବିଷ,
ପ୍ରାଣୀଏଁ ଦେହବୋଧ ସର୍ବସ୍ଵ।
ପ୍ରତାରକ ଧର୍ମ ଧ୍ଵଜ ଧରି,
ଲୋକଙ୍କ ଆସ୍ଥା କଲେ ବିକିରି।
ଛଳୀ ଛନ୍ଦି ପଥ ଆଲୋକିତ,
ତୁମ ଭକ୍ତ ମାନେ ଭୟଭୀତ।
ସାରଥି ଏଠି ଆତ୍ମାର ସ୍ଵାର୍ଥ,
ଦୁର୍ଯୋଧନ ହସ୍ତେ ହାରେ ପାର୍ଥ।
ଅବ୍ୟକ୍ତ ସେହି ପୀଡା ସମସ୍ତ,
କହିବାକୁ ମୁହଁ ନୁହଁ ସମର୍ଥ ।
ଆହେ ଗୋଲକବିହାରୀ,
ବାରେ ଧରାଧାମେ ଆସ ଅବତରି।
No comments:
Post a Comment