Wednesday 3 October 2018

କୃଷ୍ଣ ପ୍ରେମର ଦୁନିଆ

ଆନନ୍ଦପୂର୍ଣ ଏ କୃଷ୍ଣ ପ୍ରେମର ଦୁନିଆ,
ନାହିଁ ଏଠି ଦୁଃଖ, ଅବସାଦର ଛାୟା।ଘୋଷା।

ଏଠି  ସବୁ ଆତ୍ମାଭାବ ନାହିଁ ଦେହବୋଧ,
ନ ଥାଏ ଭକତଠାରେ ନର ନାରୀ ଭେଦ।

ଏକା ସେ ପୁରୁଷ ଆମେ ସକଳେ ପ୍ରକୃତି,
ତାର ଚିତ୍ତ ବିନୋଦନ ଆମର ପ୍ରବୃତି ।

ନାହିଁ ଈର୍ଷା, ନାହିଁ ଦ୍ଵେଷ, କେହି ନାହିଁ ଅରି,
ସଭିଏଁ ସମାନ ଆମ ବନ୍ଧୁ ସେ ମୁରାରୀ ।

ପ୍ରାପ୍ତି ଅପ୍ରାପ୍ତିର ଚିନ୍ତା ତୁଛା ସ୍ଵାର୍ଥ ମାୟା,
ସବୁ ପ୍ରାପ୍ତି ତାହାଠାରୁ ତାହାର ଯା ଦୟା।

ମନ ବଡ କଲେ ସିନା କଟରାରେ ଗଙ୍ଗା,
ଛୋଟ ମନକୁ ପବନ ପାଣି ବି ମହଙ୍ଗା।

ଆସ ଭେଦାଭେଦ ଭୁଲି ତା ପଦ ଧ୍ୟାଇବା,
ମନରେ ମନ ମିଳାଇ ତା ଗୁଣ ଗାଇବା।

ବିଶ୍ଵାସ ସୁଦୃଢ କରି ତାଠାରେ ସ୍ଥାପିବା,
ଜୟ ଶ୍ରୀକୃଷ୍ଣ ନାମକୁ ଆମେ ଗାଇ ଯିବା।

ପାର ହେବା ଭବ ବୈତରଣୀ ଏକ ନାବେ,
ଆହୁଲା ହରିପ୍ରେମର ବାହି ନେବା ଏବେ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...