Monday 6 May 2019

ବୈଦ୍ୟନାଥ ଧାମ ବା ବୈଜୁନାଥ ଧାମ ୭

ନମସ୍ତେ ରବିଲୋଚନ, ଅନଘ,  ନିତ୍ୟସୁନ୍ଦର,
ସର୍ବାଚାର୍ଯ୍ୟ,  ଶିତିକଣ୍ଠ, ବିରୁପାକ୍ଷ,  ଲୋକଙ୍କର,
ତୁମ ଲୀଳା, ତୁମ ଭାବ, ମୁହିଁ ମାଧ୍ୟମ ମାତର
ଧରି ହାତ, କରି ଯତ୍ନ, କବତା ମୋ ପୂର୍ଣ କର।

ଭକ୍ତ-ପ୍ରଭୁଙ୍କ ସମ୍ବନ୍ଧ କରି ପାରେ କେ କଳନ,
ଏକୁ ଆରେକ ପୂରକ, ଅଭିନ୍ନ ତାହାଙ୍କ ମନ,
ବନ୍ଧା ଛନ୍ଦା ପ୍ରୀତି ପାଶେ ଅତି ଦିବ୍ୟ ସେ ବନ୍ଧନ
ଏକ ପୁଷ୍ପ ଆନ ତାର ସୁବାସର ପ୍ରସାରଣ ।

ଶିଶୁ ଯେହ୍ନେ ଟାଣେ ଚୁଟି କ୍ରୋଧଭରେ ଜନନୀର,
ମାତା କରଇ ଆକଟ ଦେଖାଇ ଶିଶୁକୁ ଡର,
 କମି ଥାଏ କାହିଁ ତହିଁ  ବନ୍ଧନ ତାଙ୍କ ସ୍ନେହର,
ସେହିପରି ଭକ୍ତ-ପ୍ରଭୁ ଲଢାଇର କାରବାର । 

କ୍ରୋଧ ଉତ୍ତାଳ ତରଙ୍ଗ ମିଥ୍ୟା ବାହ୍ୟ ଆଡମ୍ବର,
ଗୁଢ, ଗଭୀର, ଶାଶ୍ଵତ, ତାଙ୍କ  ପ୍ରୀତିର ସାଗର,
ନୀଳ ଘନେ ନୋହେ ଯେହ୍ନେ ପ୍ରଭାବ ବିଦ୍ୟୁତ୍ପାତର,
ହେଲେ ବି ଧରା ଉଚ୍ଛନ୍ନ ଭକ୍ତି ଭାବ ରହେ ସ୍ଥିର ।

ରାବଣ ଫେରିଲା ଲଙ୍କା କରି ସ୍ଥିତିକୁ ସ୍ଵୀକାର,
ରହିଲେ କାମନା ଲିଙ୍ଗ ପୂତ କରି ଦେବଘର
ଦେବେ ପୂଜିଲେ ମହେଶ ହୋଇ ବଡ ଶ୍ରାଦ୍ଧଭର,
ଲୋକଙ୍କ କଲ୍ୟାଣ କାମେ ରତ ହେଲେ ଲୋକଙ୍କର।

ରୁଦ୍ର ହେ, ତୁମ ବିଷୟ ବଖାଣ ତୁମ ଦାୟିତ୍ଵ,
ତୁମ୍ଭଠାରେ ରଖି ଆସ୍ଥା ଲେଖିଲା ଯାହା ପ୍ରଦୀପ୍ତ,
ବୁଝି ତାକୁ ମୂଢ ମତି , ନଗଣ୍ୟ ଓ ପାପଗ୍ରସ୍ତ,
ମାର୍ଜନା କରିବ ତ୍ରୁଟି, ରହିଲି ଶରଣାଗତ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...