Friday 31 May 2019

ଗୋଷ୍ଠ ବାହୁଡା

ରଙ୍ଗ ଅଧରେ ଧରି ମୁରଲୀ ମଧୁର,
ତୋଳି  ମନଲୋଭା  ସୁର ସୁନ୍ଦର,
ଫେରୁଛନ୍ତି ଗୋଷ୍ଠରୁ କୃଷ୍ଣ ନଟବର,
ଅସ୍ତାଚଳେ ରବି ଲୁଚିବାକୁ ତତ୍ପର।

ଅସ୍ତଗାମୀ ରବିଙ୍କର ପ୍ରତିଫଳନ,
କରିଛି ଯମୁନାଙ୍କ ଲୋହିତ ବଦନ
ଜଣା ପଡୁଛି ଯାହା ତାହାଙ୍କ କଦନ,
ପିତୃ ବିୟୋଗରେ ରୁଷ୍ଟ କନ୍ୟାଙ୍କ ମନ ।

ରବି ବିଶ୍ରାମ ପାଇଁ ହେବାରୁ ଉଦ୍ୟତ,
ଚନ୍ଦ୍ର ଦ୍ୱୟ ହେଇଲେ ଗୋପେ ଉପଗତ,
ତାରାପତି ବ୍ୟୋମ ପଥରେ ଉପସ୍ଥିତ,
କୃଷ୍ଣଚନ୍ଦ୍ର ବ୍ରଜପଥେ ହେଲେ ଉଦିତ ।

ଗୋପେ ଉତ୍ପତ୍ତି ପୂଣ୍ୟ ଥିବାରୁ ପ୍ରାରବ୍ଧ,
ପ୍ରାପ୍ତି ଅର୍ଥେ ଶ୍ରୀହରିଙ୍କ ଦିବ୍ୟ ସାନିଧ୍ୟ,
ଯେଣୁ ଜାଣିଛନ୍ତି ଗୋବୃନ୍ଦ ଏହି ଭେଦ,
କୃଷ୍ଣ ନିକଟତା ପାଇଁ ତାହାଙ୍କ ଦ୍ଵନ୍ଦ । 

ଆତ୍ମସାତ କରିବାକୁ ସେ ବଂଶୀ ସ୍ଵନ
ଗୋ କୁଳ ମଧ୍ୟେ ନୀରବତା ବିଦ୍ୟମାନ
ବତ୍ସାଙ୍କ ବ୍ୟଗ୍ର ନାଦେ ନାହିଁ ତାଙ୍କ ଧ୍ୟାନ,
ପାର୍ଥିବ ଆବେଗଠୁଁ ଊର୍ଦ୍ଧ୍ଵ ସେ ମୋହନ ।








No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...