Tuesday 4 December 2018

ଅଥ ପାଗଳ ଉବାଚ ୨

ଜାଣ କି ଜନେ ମୋ ନିର୍ବୋଧ ମତି,
ଜାଣି ଜୀବନ କ୍ଷଣ ଭଙ୍ଗୁର ଗତି,
ନଶ୍ଵର ଶରୀରର ଯାହା ରୀତି,
ଦେହ ସୁଖରେ ମୁଁ ଗଲି ଯା ମାତି।

ପାର୍ଥିବ ପ୍ରାପ୍ତି ଯା ଅସ୍ଥାୟୀ ସୁଖ,
ପାଇଁ ଅକାର୍ଯ୍ୟ ମୁଁ କଲି ଅନେକ,
ଭୁଲି ଧର୍ମାଧର୍ମ ଓ ଜାତି ପତି,
ଠୁଳ କଲି ଅନୈତିକ ସମ୍ପତି ।

ଉଦ୍ଧତ ଯୌବନର ଉଦ୍-ବେଳନ,
କଲା ଅଧୋମୁଖୀ ମୋ ଆଚରଣ
ଦେହଦାହରେ ମୋ ରହିଲା ପ୍ରୀତି,
ନିଗମ ପଥରୁ ହେଲା ବିଚ୍ୟୁତି ।

ନୀଚ ପଦ ଧରି କାର୍ଯ୍ୟ ସାଧନ,
କରି ଭୁଲିଲି ମୁଁ ମୋର ସମ୍ମାନ,
ବିଚାର ନ କଲି ନୀତି ଅନୀତି,
ମୂଳ ଲକ୍ଷ୍ୟ ହେଲା ବିଷୟା ପ୍ରାପ୍ତି। 

ଦିନେ ନ ଭଜିଲି ପ୍ରଭୁଙ୍କ ନାମ,
ନ ହେଜିଲି ବାରେ ସେ ଘନଶ୍ୟାମ, 
ପ୍ରବଞ୍ଚକ ହେଲା ମୋହରି ମତି,
କଲି ମୁଁ ନିଜେ ଆତ୍ମାର ଦୁର୍ଗତି ।

ଜାଣ କି ଜନେ ମୋ ନିର୍ବୋଧ ମତି,
ନର୍କ ଦ୍ଵାର ମୁଁ ଖୋଲିଲି ଏଇମିତି।

ଦ୍ରଷ୍ଟବ୍ୟ... ନିଗମ ପଥ-- ନିଗମ ଅର୍ଥାତ ବେଦ, ଯେଉଁଠି ପ୍ରତ୍ୟେକ କାର୍ଯ୍ୟ ପାଇଁ ନୀତି ନିର୍ଦିଷ୍ଟ ଅଛି, ତାହା ନିଗମ ପଥ ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...