Thursday 21 March 2019

ହରି-ରଙ୍ଗ-ପ୍ଲୁତ ଚିତ୍ତ

ଚଉଦିଶ ଶ୍ୟାମମୟ ମନ, କର୍ମ ଶ୍ୟାମ,
ଶ୍ୟାମ ଚିନ୍ତା, ଶ୍ୟାମ ଧ୍ୟାନ, ଜପ ଶ୍ୟାମ ନାମ। 
ଯା ଚିତ୍ତେ ଚଢିଛି ବାରେ ରଙ୍ଗ ସେ ଭାବର, 
 ଆବର ରଙ୍ଗର ତାର ନାହିଁ ଦରକାର।
କ୍ଷଣିକ ଓ ଜିର୍ଣଧର୍ମୀ ରଙ୍ଗ ସଂସାରର, 
ତଡିତ ସମ ପ୍ରଜ୍ଵଳିତ କ୍ଷୁଦ୍ର ପ୍ରାଣ ତାର।
ହରି-ରଙ୍ଗ ରବି ସମ ନିତ୍ୟ ଉଦ୍ଭାସିତ,
ଚିତ୍ତ ଚୈତନ୍ୟକୁ ସଦା କରେ ଆଲୋକିତ। 
ହରି-ରଙ୍ଗ-ପ୍ଲୁତ ଚିତ୍ତେ ସର୍ବଦା ସନ୍ତୋଷ,
ଯେଣୁ ନ ଥାଏ ତହିଁରେ କାମନାର ବିଷ।
ଚନ୍ଦ୍ରାଲୋକ ସମ ସେ ଭାବ ଆନନ୍ଦଦାୟକ, 
ଧ୍ୟାନ ମାତ୍ରେ ନାଶ କରେ ଯେତେ ଦୁଃଖ ଶୋକ।
ଶୁଦ୍ଧ, ସୁଦୃଢ, ସମ୍ପନ୍ନ  ରଙ୍ଗ ଭକତିର, 
ଚଢିଲେ ବୁଡିଲା ଜ୍ଞାନ, ଧ୍ୟାନ ଜଗତର ।
ବିଲୀନ ଅଦୃଶ୍ୟ, ଗୁପ୍ତ, ଗଭୀର ଶାଶ୍ଵତ,
ଆତ୍ମା ସହ ବିଜଡିତ ଏହା ଦେହାତୀତ। 
ତାହାରି ସନ୍ତୁଷ୍ଟି ଭିନ୍ନ ନ ଚାହେଁ ସେ ମନ,
ଯେ ବାରେ କିଙ୍କର ପଣେ କରେ ସମର୍ପଣ। 


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...