Monday 22 April 2019

ବୈଦ୍ୟନାଥ ଧାମ ବା ବୈଜୁନାଥ ଧାମ ୨

ନମସ୍ତେ  ଗିରିଜାପତି,ମହାମୃତ୍ୟୁଞ୍ଜୟ,ହର,
ନୀଳକଣ୍ଠ,ତ୍ରିପୁରାରି,ମହେଶ, ଚନ୍ଦ୍ରଶେଖର,
ନମୋ ଶମ୍ଭୂ,ବିଶାଳାକ୍ଷ, ରୁଦ୍ରାକ୍ଷ, ପାର୍ବତୀବର,
ପ୍ରଣବ, ପୁଷ୍କର, ପ୍ରଭୋ , ସର୍ବେଶ୍ଵର, ଗଙ୍ଗାଧର ।

ସହଜେ ତୁ ଭୋଳାନାଥ ନ ବୁଝିଲୁ ଦୈତ୍ୟ ଛଳ,
ତୋତେ ନେଇ ଲଙ୍କାକୁ ସେ ହୋଇବ ଅମିତ ବଳ, 
ତୁରିତ ତୁ ମାନିନେଲୁ ଭକ୍ତ କାମନା କୁଟିଳ,
ଭକ୍ତ ପ୍ରତି ତୋର କୃପା ରୁଦ୍ର ହେ ସଦା ଅତୁଲ୍ୟ।

କାମନା ଳିଙ୍ଗ ରୂପରେ ଯିବୁ ସାଥେ ରାଜି ହେଲୁ,
ପଥେ  ତୋତେ ନ ରଖିବ ସର୍ତ୍ତ ଏକ ରଖିଦେଲୁ,
ଯେ ସ୍ଥାନେ ରଖିବ ତହୁଁ ଉଠିବୁନି ଚେତାଇଲୁ,
 ବିଧି ନିର୍ଦିଷ୍ଟ କାର୍ଯ୍ୟକୁ ପଥ ଏକ ଖୋଲିଦେଲୁ।

ଶିବଙ୍କୁ ଧରି ଚାଲିଛି ତୁଷ୍ଟ ବିଶ୍ରବାନନ୍ଦନ,
ଭକତର ଇଚ୍ଛା ଅଧିନେ ଚାଲିଛନ୍ତି ଭଗବାନ,
ଦେବେ ଅଗୋଚର ଏବେ, ଯାହା ବିଧିର ବିଧାନ,
ଅନେକ ପଥକ୍ରାନ୍ତରେ ସଞ୍ଜ ହେଲା ଆଗମନ।

ସିନ୍ଦୂରିତ  ବିହାୟସ ବିହଙ୍ଗମେ ସୁସଜ୍ଜିତ,
ରବି କି ସୁନ୍ଦର ଶାଢୀ ଘେନି ନଭେ ଉପସ୍ଥିତ,
କରିବାକୁ ପ୍ରିୟତମା ଚାନ୍ଦ ଚିତ୍ତକୁ  ହର୍ଷିତ,
ଅବା ମିଳନ ଉତ୍କଣ୍ଠା କଲା ତା ମୁଖ ଲୋହିତ।

ପୂର୍ଣ କରି ପରିବେଶ ପୂଣ୍ୟେ ଭରି କର୍ଣ୍ଣ ଦେଶ,
ଦେବାଳୟୁ ଘଣ୍ଟା ଧ୍ୱନି ଦେଉଛି ସନ୍ଧ୍ୟା ସନ୍ଦେଶ,
କ୍ରୀଡାଙ୍ଗନ ଛାଡି ପିଲେ ଗୃହକୁ କଲେ ପ୍ରବେଶ,
ନାରୀ ହେଲେ ଉପସ୍ଥିତ ତୁଲସୀ ଚଉଁରା ପାଶ ।


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...