Monday 22 April 2019

ବୈଦ୍ୟନାଥ ଧାମ ବା ବୈଜୁନାଥ ଧାମ

ନମସ୍ତେ ବୃଷବାହନ, ଆଶୁତୋଷ,ପଶୁପତି,
 ଲିଙ୍ଗରାଜ, ନଟରାଜ, ଦୁର୍ଜୟ, ଅନନ୍ତଦୃଷ୍ଟି
ମହାବୁଦ୍ଧି, ମହାମାୟା, ମହାନିଧି,ମହାଯତି,
ମହାଯୋଗୀ,ମହେଶ୍ଵର, ମହାକାଳ, ଉମାପତି। 

ହେ,ଭକ୍ତବତ୍ସଳ ଶିଵ, ଭକ୍ତ ତୋଷେ ତୋର ମନ,
ସ୍ଵଳ୍ପେ ସନ୍ତୁଷ୍ଟ ବରଦ ସରଳ ତୋ ଆଚରଣ,
କରିଲା ଅଖଣ୍ଡ ତପ ତୋ ଭକ୍ତିରେ ଦଶାନନ,
ସ୍ଵହସ୍ତେ ଛେଦି ନ' ଶିର କଲା ସେ ତୋତେ ଅର୍ପଣ।

ଅନ୍ତିମ ଶିର ଛେଦନେ ରାବଣ କଲା ଉଦ୍ୟମ,
ଉଦ୍ଭାସିତ ହେଲା ସ୍ଥାନ ସହସ୍ର ରବିର ସମ,
ଭୁତ ପିଶାଚଙ୍କ ରଡି କଲା ଶ୍ମଶାନର ଭ୍ରମ,
ଭୀତି ସହ ଦିବ୍ୟତାର ହେଲା ଅମେଳ ସଙ୍ଗମ।

ଭସ୍ମ ସହ ହୋଇ ମିଶ୍ର ଅଗରୁ କର୍ପୁର ବାସ,
ବାୟୁକୁ କଲା ପବିତ୍ର କୈଳାସର ଯା ବିନ୍ୟାସ,
ନନ୍ଦି କଣ୍ଠ ଘଣ୍ଟି ଧ୍ୱନି ସେଠାରେ ହେଲା ପ୍ରକାଶ,
ଉଭା ହେଲେ ଆଶୁତୋଷ ମୁଖେ ବହି ସ୍ମିତହାସ ।

ଫେଡି ଧିରେ ନେତ୍ରପଟ ଦେଖିଲା ଯା ଦଶାନନ
ନ ସ୍ଫୁରିଲା କଣ୍ଠେ ଶବ୍ଦ, ସ୍ତବ୍ଧ ବିହ୍ଵଳ ତା ପ୍ରାଣ
ଟାଙ୍କୁରି ଉଠିଲା ଲୋମ ଉତ୍ଫୁଲ୍ଲିତ ତା ବଦନ,
ଶୁଷ୍କ ମୁଖେ ଖେଳିଗଲା ଦ୍ୟୁତି ଚନ୍ଦ୍ରଲୋକ ମାନ ।

ରବି ଆଲୋକରେ ଯେହ୍ନେ ଚନ୍ଦ୍ର କଲା ଦୀପ୍ତି ସ୍ନାନ,
ସେ ପ୍ରାୟେ ରବଣ ଚିତ୍ତ ଶିବ ଦର୍ଶନେ ପ୍ରସନ୍ନ,
ସ୍ଵତଃ ହୋଇଲା ମୁଦିତ ଭାବ ବିହ୍ଵଳ ନୟନ,
ତା ଚକ୍ଷୁ  ପ୍ରଭୁ ରୂପକୁ କଲା ଧାରଣ ପ୍ରଯତ୍ନ ।

ନିଧି ଅବା ପାଇଗଲା କେଉଁ ଆଜନ୍ମ ନିର୍ଧନ,
ଜନ୍ମାନ୍ଧକୁ ପ୍ରାପ୍ତ ହେଲା  ଅନପେକ୍ଷିତ ନୟନ,
ସନ୍ତାନହୀନ ଗୃହରେ ଜାତ ହେଲା ପୁତ୍ରରତ୍ନ,
ଆନନ୍ଦ ଆତିଶଯ୍ୟରେ କାୟା ତାର କମ୍ପମାନ ।

ତୁଷ୍ଟ ହୋଇ ଭକତିରେ କଲୁ ତାର ଉପଚାର,
ବୋଲାଇଲୁ "ବୈଦ୍ୟନାଥ" ସେ ପ୍ରକାରେ ତୁ ଈଶ୍ଵର,
ଦେଲୁ ତା ତୁଲେ ପ୍ରସ୍ତାବ ମାଗିବାକୁ କିଛି ବର
ଚାହିଁଲା ଦାନବ ତୋତେ ଘେନିଯିବ ଲଙ୍କାପୁର।



 


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...