Thursday 13 June 2019

ଗୋଷ୍ଠ ବାହୁଡା ୩

                                              ଗୋଷ୍ଠ ବାହୁଡା ୩
ଶ୍ରୀକୃଷ୍ଣଙ୍କ ନୀଳ କାୟା ଶ୍ରମ ଝାଳେ ଆଚ୍ଛାଦିତ,
ନୀଲୋତ୍ପଳେ ହୋଇଛି କି ଶିଶିର ବିନ୍ଦୁ ଗଚ୍ଛିତ।
ରବିଙ୍କ ସୁନେଲି କର ତହିଁ ହୋଇ ବିଛୁରିତ,
ପ୍ରଭୁଙ୍କ ସୌମ୍ୟ ଆଭାକୁ କରୁଛି ଦିବ୍ୟ ପ୍ରଭୂତ।

ଗୋ ବୃନ୍ଦଙ୍କ ଆଗୁସାରେ ଦେଖି ସେ ଜଗତନାଥ,
ମନେ ହୁଏ ମୁକ୍ତା ମାଳେ ନୀଳ ମଣିଟି ସଜ୍ଜିତ।
କି ଅବା ତାରାଙ୍କ ମଧ୍ୟେ ଅଛନ୍ତି ତାରାଜୀବେଶ,
ଅନାୟସେ କରୁଛନ୍ତି ଆଲୋକିତ ଦଶଦିଶ ।

ବିଭୁଙ୍କର ପଦ ସ୍ପର୍ଶେ ହୋଇ ଧରା ଆହ୍ଲାଦିତ,
ବକ୍ଷରୁ କରୁଛି ରେଣୁ ଗଗନକୁ ଉତକ୍ଷେପିତ ।
ରଜ ହସ୍ତେ ଭକ୍ତ ଏଠି ସ୍ରଷ୍ଟାଙ୍କୁ ସ୍ପର୍ଶ ଉଦ୍ୟତ
ଆବେଗ ଆତୁରେ କରେ ତାଙ୍କୁ ଧୁଳି ଧୂସରିତ ।

ଗ୍ରହଣ କରନ୍ତି ହରି ଧୂଳିକୁ ଚନ୍ଦନ ମତ,
ଭକ୍ତ ପ୍ରଭୁ ସ୍ନେହ ସତେ ମୋହର ଭାବନାତୀତ।
ଆବେଗ ଶୁଦ୍ଧ ଭକ୍ତର ଅର୍ଘ୍ୟରୁ ମହତ-ତର
ପୂଜା  ଅର୍ଚ୍ଚନାଠୁଁ ଶ୍ରେଷ୍ଠ ନେତ୍ରର ଶରଧା ଧାର।

କୃଷ୍ଣଙ୍କର କାୟା ଉପରେ ଶ୍ରମ ଜନିତ ସ୍ଵେଦ ବିନ୍ଦୁ ମାନେ ନୀଲୋତ୍ପଳ ଉପରେ ଜମି ଯାଇଥିବା ଶିଶିର ବିନ୍ଦୁ ଭଳି ପ୍ରତୀୟମାନ ହେଉଛନ୍ତି। ଭାସ୍କରଙ୍କର ସୁନେଲି କୋମଳ କିରଣ ସେହି ଗୋଲ ଗୋଲ ମୋତି ମାନଙ୍କ ଉପରେ ପଡି ବିଛୁରିତ ହୋଇ ଶ୍ରୀହରିଙ୍କ ଆଭାକୁ ଜାଜୁଲ୍ୟମାନ କରୁଛି। ଗୋବୃନ୍ଦର ଆଗୁସାର କରୁଥିବା କୃଷ୍ଣଙ୍କୁ ଦେଖିଲେ ମାନେ ହୁଏ, ଧବଳ ମୁକ୍ତାର ମାଳ ଭିତରେ ନୀଳମଣିଟିଏ ଖଞ୍ଜା ହୋଇଛି। ଏମିତି ମନେ ହେଉଛି ସତେ କି, ତାରାମାନଙ୍କ ଭିତରେ ଚନ୍ଦ୍ର ବିରାଜମାନ ହୋଇ ଦଶ ଦିଗକୁ ଆଲୋକିତ କରୁଛନ୍ତି। ଧରଣୀ ମାତା ପ୍ରଭୁଙ୍କ ପଦସ୍ପର୍ଶରେ ଆନନ୍ଦିତ ହୋଇ ଗଗନକୁ ଧୁଳି ଫୋପାଡୁଛି। ପ୍ରଭୁଙ୍କ ଭକ୍ତ ଧରଣୀ ନିଜର ଧୁଳି ହାତରେ ତାଙ୍କୁ ଛୁଇଁବାର ଆବେଗରେ ଆତୁର ହୋଇ ତାଙ୍କୁ ଧୁଳି ଧୂସରିତ କରୁଛି । ଶ୍ରୀହରି  ସେହି ଧୂଳିକୁ ନ ଝାଡି ଚନ୍ଦନ ରୂପେ ଗ୍ରହଣ କରୁଛନ୍ତି। ମୋ ଭଳି ଗୋଟିଏ ସାଧାରଣ ମନୁଷ୍ୟ ପାଇଁ ପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ବିଦ୍ୟମାନ ସେ ସ୍ନେହ ସମ୍ବନ୍ଧ ଅଚିନ୍ତନୀୟ। ଜଣେ ଶୁଦ୍ଧ ଭକ୍ତର ଆବେଗ, ତାର ଅର୍ପଣ ଠାରୁ ଅଧିକ ମହତ୍ବପୂର୍ଣ । ବହୁବିଧ ଉପଚାରରେ କରାଯାଉଥିବା ପୂଜା ଅର୍ଚ୍ଚନାଠାରୁ, ଭକ୍ତି ଭାବରେ ଭକ୍ତ ନୟନରୁ ବହୁଥିବା ଲୁହ ଧାରଟିଏ  ଅଧିକ ମହତ୍ବପୂର୍ଣ । ଜୟ ଶ୍ରୀକୃଷ୍ଣ ।  

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...