Monday 24 June 2019

ଭକ୍ତି ଲକ୍ଷ୍ୟ

"କୁହ ପାର୍ଥ କି ଦେଖୁଛି ନୟନ ତୁମର,
କି ଚିନ୍ତାରେ ମଗ୍ନ ମତି କୁହ ଧନୁର୍ଦ୍ଧର ।
କିପରି ଜିଣିବ ଦ୍ରୌପଦୀଙ୍କ ସ୍ଵୟଂବର,
ତୁମଠାରେ ଦୃଷ୍ଟିବଦ୍ଧ କରିଛି ସଂସାର ।
ସ୍ଵୟଂବର ନୁହେଁ ଏହା ବିଶାଳ ସମର,
ଭବିଷ୍ୟତର କରିବ ରୂପ ରେଖା ସ୍ଥିର ।
ମହା ମହା ରଥି ଏଥି ବରିଛନ୍ତି ହାର,
ତେଣୁ ସୁଯୋଗ ଆସିଛି ସମ୍ମୁଖେ ତୋହର। "

ପଚାରିଲେ ଅର୍ଜୁନଙ୍କୁ ସଖା ଗିରିଧାର
ପରଖିବାକୁ ଧୀମତ୍ତା ବୀର ଫାଲ୍ଗୁନୀର।
ଧର୍ମର ରକ୍ଷକ ଖୋଜୁଥିଲେ ବୀରବର,
କାନ୍ଧଟିଏ ବୋହିବ ଯେ ପତାକା ଧର୍ମର।
ଭାରତ ଜିଣିବ ଯା'ର ଗାଣ୍ଡୀବ ଟଙ୍କାର,
ଏହି କି ସେ ବୀରବାହୁ  ବୁଦ୍ଧିମାନ ନର ।
ବିଜୟୀ ଓ ପରାଜିତଙ୍କର ବ୍ୟବହାର,
ମଧ୍ୟରେ ରହିଛି ଯାହା ବିଶାଳ ଅନ୍ତର।
ଅସିଦ୍ଧି ଓ ସିଦ୍ଧି ମଧ୍ୟେ ସ୍ଥିତ ସୂକ୍ଷ୍ମ ଗାର,
ଜାଣିଛି କି କିପରି କରିବ ତାକୁ ପାର ।
ଅବା ଏ ମାମୁଲି ଯୋଦ୍ଧା ନୁହେଁ ଧୁରନ୍ଦର,
ଜାଣିବାକୁ ଚାହୁଁଥିଲେ କୃଷ୍ଣ  ଯଦୁବୀର।

ଯୋଡ ହସ୍ତ ହେଲେ ପାର୍ଥ ହୋଇ ଶ୍ରଦ୍ଧାଭର,
"ହେ, କେଶବ, ଜଗଦୀଶ ପ୍ରିୟ ସଖା ମୋର।
ତୁମ ଆଜ୍ଞା ପାଳନଟି ଏକା ଧର୍ମ ମୋର
କର୍ମ ମୋର ଜିଣିବି ମୁଁ ଏହି ସ୍ଵୟଂବର।
ବିନ୍ଧିବି ମୀନର ନେତ୍ର ଏହି ଲକ୍ଷ୍ୟ ମୋର,
ତେଣୁ ଦେଖୁଛି କେବଳ ନୟନ ମୀନର। 
ଲକ୍ଷ୍ୟରେ ମୋ ଧ୍ୟାନ ହରି, ଫଳ କୃପା ତୋର,
ଶରଣ ଗଲି ରଖିବୁ ସମ୍ମାନ ମୋହର। "


"ତୁମେ ମୋର ଶକ୍ତି ତୁମେ ସାମର୍ଥ୍ୟ ପାର୍ଥର,
ତୁମେ ମୋ ଧୀମତ୍ତା, ତୁମେ ଗାଣ୍ଡୀବ ଟଙ୍କାର। 
ତୁମେ ବାଣ, ତୁମେ ମୋର ଅକ୍ଷୟ  ତୁଣୀର,
ଲକ୍ଷ୍ୟ ତୁମେ, ପଥ ତୁମେ,ପାଥେୟ ମୋହର।
ତୁମ ବିନା ସର୍ବ ଶୂନ୍ୟ, ସର୍ବ ଅନ୍ଧକାର,
ତୁମ ସହଯୋଗେ ମୁହିଁ ସିନା ଧନୁର୍ଦ୍ଧର ।
ମତି ମୋର ମଗ୍ନ ସଦା ଥାଉ ତୋ ପୟର,
ତୁମେ ଥାଉଁ ଥାଉଁ ସାଥେ କିବା ଚିନ୍ତା ମୋର।"

ଲକ୍ଷ୍ୟ ପରେ ଧ୍ୟାନ ଥାଉ ଅର୍ଜୁନ ପ୍ରକାର,
ଭକତି ପଥରେ ଲକ୍ଷ୍ୟ ପଦ ହରିଙ୍କର ।
ଯେ ପଦ ଚିନ୍ତି ଭବରୁ ହୁଏ ପ୍ରାଣୀ ପାର,
ସେ କୈବଲ୍ୟ ପଦେ ମୋର ସହଶ୍ର ଜୁହାର।








No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...