Wednesday 5 June 2019

ଗୋଷ୍ଠ ବାହୁଡା୨

ଗୋବର୍ଦ୍ଧନ ଶିଖରରୁ ମୃଦୁ ମନ୍ଦ ସମୀର,
ହରି ତନୁ ଚୁମ୍ବନକୁ ହୋଇଲାଣି ଆତୁର।
ଅପ୍ରକାଶ୍ୟେ ପ୍ରଭୁ ସେବା କାମେ ରତ ବରୁଣ,
ଶ୍ରୀହରି ଶ୍ରମ ଲାଘବେ ପେଷିଛି ସମୀରଣ।

ଉଡାଇ ନେଉଛି ବଳେ ତାଙ୍କ ପୀତ ଉତ୍ତରୀ,
ଅବା ଧ୍ୟାନ ଆକର୍ଷଣେ ଏ ପ୍ରୟାସ ତାହାରି।
ମନେହୁଏ ଶିଖି ପୁଛେ ତାର ବଡ ଶରଧା,
ଝିଙ୍କି ନେବା ପାଇଁ ଦେଖ କରୁଅଛି ମସୁଧା ।

ମଧୁବନ ବୃକ୍ଷରାଜି ଶ୍ୟାମ ପ୍ରୀତିରେ ସିକ୍ତ,
ଝୁଙ୍କି ହୋଇ ଝୁଲି ଝୁଲି ହରି ସ୍ପର୍ଶ ଚେଷ୍ଟିତ।
ରହି ଯାଇଁ ଦୂରେ ପତ୍ର ପୁଷ୍ପ ବୃଷ୍ଟି କରନ୍ତି,
ଜଡ ଦେହେ ପ୍ରଭୁ ଭକ୍ତି କାହୁଁ ଏତେ ଆଣନ୍ତି।

ଭ୍ରମରଟି ପୁଷ୍ପ ମଣି କୃଷ୍ଣ ମୁଖ ଭ୍ରମରେ,
ମଧୁ ଆଶେ ଉଡୁଅଛି ହର୍ଷେ ଚଉ ପାର୍ଶ୍ଵରେ ।
ମଧୁରୁ ମଧୁରତର ସେହି ଶ୍ୟାମସୁନ୍ଦର,
ଘଉଡାଇ ଦେଉଅଛନ୍ତି ଦେଇ ସେ ବାମ  କର ।

ଯେ ହୃଦେ ଉଦିତ ଆଜି ରବି ହରି ଭାବର,
ଅଚିରେ ପାଉଛି ପ୍ରଭୁ ସେବାର ଅବସର।
ଭକ୍ତ ଆଲ୍ହାଦକୁ ହରି ଧରା ଅବତରଣ,
ପରସ୍ପରେ ତୋଷି  ତୁଷ୍ଟ ପ୍ରଭୁ ଓ ଭକ୍ତଗଣ।
                                       କ୍ରମଶଃ 













No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...