Saturday 15 June 2019

ଗୋଷ୍ଠ ବାହୁଡା ୪

ଗୋକୁଳ ପଥ ପାର୍ଶ୍ଵରେ ବୃକ୍ଷେ ଥିଲେ ଯେ ବାନର,
ଅପଲକ ଦେଖୁଥିଲେ ଶ୍ରୀକୃଷ୍ଣଙ୍କୁ ହୋଇ ସ୍ଥିର ।
ହୃଦଗତେ ଭାବୁଥିଲେ ଦେଖି ସେ କୃଷ୍ଣଙ୍କ ରୂପ,
ଦୃଷ୍ଟି ପଥାରୂଢ ଏ କି ସତେ ଅଯୋଧ୍ୟା ଅଧିପ ।

ଏ କି ସେହି ରଘୁବର ଶ୍ରୀରାମ ପୁରୁଷୋତ୍ତମ,
ଠାଣି, ଚାହାଣି ଏହାଙ୍କ ନିଶ୍ଚିତ ତାହାଙ୍କ ସମ ।
ଚନ୍ଦ୍ର ସମ ଏ ଶୀତଳ, ରବି ସମ ତେଜୀୟାନ
ଝଟକୁଛି ଦିବ୍ୟ ପ୍ରଭା ନିଶ୍ଚେ ଏ ରଘୁ ନନ୍ଦନ ।   

ଗୋବିନ୍ଦଙ୍କ ରୂପେ ହନୁ ଦେଖିଲେ ସେ ସୀତାପତି,
ଆଚରଣେ ପରିଦୃଷ୍ଟ ହେଉଥିଲା ତାଙ୍କ ମତି।
ସ୍ଵଭାବର ଅନୁରୂପେ ଭାଙ୍ଗି ତରୁଙ୍କର  ଡାଳ,
ପ୍ରଦର୍ଶନ କରୁଥିଲେ ଖୁସି ବାନର ସକଳ।

ଶାଖାମାନ ଭାଙ୍ଗି ଭାଙ୍ଗି ଧେନୁଙ୍କୁ ଦେଲେ ଭୋଜନ,
ଡାଳୁ ଡାଳ ଡେଇଁ କଲେ ଗୋଷ୍ଠର ଅନୁଧାବନ।
ସର୍ବଦା ପରୋପକାରୀ, ବିନୟୀ ଭକତ ହୃଦ,
ହନୁ ରୂପେ ଥାଇଁ ସୁଦ୍ଧା ସେ ଥିଲେ ଭକତ ବୃନ୍ଦ।

ଲବଣୀ ମୋହରେ କଲେ ହରିଙ୍କ ଅନୁଗମନ,
ଅବା ହରି  ନିକଟତା ପାଇଁ ବ୍ୟଗ୍ର ହନୁ ମନ।
କଳି କି ପାରେ କେହି ହରି ଭାବ ଗଭୀରତା,
ମୋ ସମ ମୂଢ କି ଜାଣେ ଭକତଙ୍କ ମହାନତା । 

ସେ ହନୁ ଯେ ଦେଖୁଥିଲେ ସାକ୍ଷାତେ ମନମୋହନ,
ତାଙ୍କ ସେ ଜୀବନ ଠାରୁ ତୁଚ୍ଛ ମୋ ମାନବ ଜନ୍ମ,
ସେ ଆତ୍ମାଏଁ କରିଥିବେ ନିଶ୍ଚିତ ଅମିତ ପୂଣ୍ୟ,
ଯେଣୁ ଗୋପେ ହୋଇ ଜାତ କଲେ ଶ୍ରୀହରି ଦର୍ଶନ।

ବୃନ୍ଦାବନ ପଥ ପାର୍ଶ୍ଵରେ ଥିବା ବୃକ୍ଷ ମାନଙ୍କ ଉପରେ ବାନର ମାନେ କିଛି ସମୟ ପାଇଁ ସ୍ଥିର ହୋଇ ଶ୍ରୀକୃଷ୍ଣଙ୍କୁ ଅପଲକ ଦେଖି ଚାଲୁଛନ୍ତି, ହୁଏତ ସେମାନେ ନିଜ ଅନ୍ତଦୃଷ୍ଟିରେ ସେମାନଙ୍କ ଚିର ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କର ରୂପକୁ ମନେ ପକାଉଛନ୍ତି। ଅଚାନକ ନିଜ ପ୍ରକୃତି ଅନୁସାରେ ବୃକ୍ଷର ଡାଳମାନଙ୍କୁ ଭାଙ୍ଗି ନିଜର ଆନନ୍ଦ ଓ ସନ୍ତୁଷ୍ଟିକୁ ପ୍ରଦର୍ଶନ କରିବାକୁ ଆରମ୍ଭ କରୁଛନ୍ତି । ସେମାନଙ୍କର ବ୍ୟବହାରରେ ହେଉଥିବା ପରିବର୍ତନକୁ ଦେଖିଲେ ମନେହୁଏ ଗୋବିନ୍ଦଙ୍କ ରୂପରେ ସେମାନେ ନିଶ୍ଚିନ୍ତ ସୀତାପତିଙ୍କର ପ୍ରତିଫଳନ ଦେଖି ପାରୁଛନ୍ତି । ଗଛର ଛୋଟ ଛୋଟ ଶାଖାମାନ ଭାଙ୍ଗି ଧେନୁମାନଙ୍କୁ ଭୋଜନ ଉପଲବ୍ଧ କରାଉଥିବା ସମୟରେ ଗୋଷ୍ଠର ଅନୁଧାବନ କରୁଛନ୍ତି । ନିଶ୍ଚିନ୍ତଭାବରେ କୁହାଯାଇ ପାରେ ଯେ ସେମାନଙ୍କ ମନରେ ଶ୍ରୀକୃଷ୍ଣଙ୍କ ହାତରୁ ଗୋପପୁରର ସୁମିଷ୍ଟ ଲବଣୀ ଖାଇବାର ଲୋଭ ସେମାନଙ୍କୁ ଗୋଷ୍ଠକୁ ଅନୁଧାବନ କରିବାକୁ ପ୍ରେରିତ କରୁଛି। ନିମ୍ନ  ଯୋନିରେ ଜାତ ହୋଇ ମଧ୍ୟ ଶ୍ରୀହରିଙ୍କ ପୂଣ୍ୟ ଦର୍ଶନ ସୌଭାଗ୍ୟ ଯାହା ସେହି  ବନରମାନେ ପାଉଥିଲେ ତା ପାଇଁ ସେମାନେ କେତେ ପୂଣ୍ୟ ସତରେ କରି ନ ଥିବେ? 
ଶ୍ରୀହରି ସମସ୍ତ ପାଠକଗଣଙ୍କୁ ନିଜ କୃପାରେ ରଖନ୍ତୁ । ଜୟ ଶ୍ରୀକୃଷ୍ଣ।   

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...