Friday 25 January 2019

ନୀଳାଦ୍ରିବିଜେ ୭

"ଡାଳିମ୍ବଦଶନା ତୁମ କଥା ମଞ୍ଜୁଳ,
ଡାହର କାରଣ ତୁମ ଶ୍ରଦ୍ଧା ସବଳ ।

ଡୋରି ଆମ୍ଭର ପରା ଜଗତେ ଶ୍ରେଷ୍ଟ,
ଡକା ମୁଁ ଜଗନ୍ନାଥ ତୁ ଜଗନ୍ମାତ ।"

ଢଙ୍ଗେ ସନ୍ତୁଷ୍ଟ କଲେ ଶ୍ରୀଜଗନ୍ନାଥ,
ଢଳିଲା କ୍ରୋଧ ରମା ହୋଇଲେ ପ୍ରୀତ।

ଢଗେ କହନ୍ତି କଳିର ନ ଥାଏ ଅର୍ଥ 
ଢମ ବହୁତ ପରିଣାମ ରହିତ ।

ତୁଳ ପର୍ବତ ପତି-ପତ୍ନୀ କଳହ,
ତୁଷାନଳ ତୁଲ୍ୟ ତାକୁ ପ୍ରୀତି ପ୍ରବାହ।

"ତୁମ କଥାରେ ମୋର ନାହିଁ ପରତେ,
 ତାଳ ଛାଇ ସେ ଘୁଞ୍ଚି ଯାଏ ତେମନ୍ତେ ।

ତତ୍ପର ମୁଁ ଜ୍ୟେଷ୍ଠଙ୍କ  ପୂଜନେ ସଦା,
ତାଙ୍କ ଆଦର ମୋର କାର୍ଯ୍ୟ ସର୍ବଦା।

ତୁମ ଭଉଣୀ ମୋ ସମ୍ବନ୍ଧରେ ନଣନ୍ଦ
ତେଣୁ ମୋ ପାଇଁ ଶ୍ରେଷ୍ଠ ତାଙ୍କ ଆନନ୍ଦ।

ତୁମ ଉପହାରରେ ନାହିଁ  ମୋ ମତି,
ତଥାପି ତାକୁ ନେବି  ମଣି ସନ୍ତତି ।"

ତ୍ୟାଗ ନ କରି ପାରେ ନାରୀ ବଢିମା
ତଳକୁ ନ ହୁଏ ତା ଅହଂର ସୀମା।

ତା ସ୍ନେହ ଲୁଚିଥାଏ ମିଛ କ୍ରୋଧରେ,
ତମସାଚ୍ଛନ୍ନ ନଭେ ତରା ପ୍ରକାରେ ।  

ଥଟଲି ଥମିଲା ସରିଲା ଲକ୍ଷ୍ମୀଙ୍କ ରୋଷ,
ଥିର ହେଲା ଦ୍ଵନ୍ଦ, ଭକ୍ତେ ପାଇଲେ ସନ୍ତୋଷ । 

ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ୧ରୁ ୭ ପର୍ଯ୍ୟନ୍ତ ଅ ରୁ ଥ ପର୍ଯ୍ୟନ୍ତ ଅକ୍ଷର ମାନଙ୍କର କ୍ରମ ପ୍ରୟୋଗ ହେଲା । ଜଗନ୍ମାତା ଓ ଜଗନ୍ନାଥଙ୍କର ଝଗଡାର ପରିସମାପ୍ତି ପରେ ଏବେ ପ୍ରଭୁ ଗୁଣ ଗାନର ସମୟ । କୃପା କର ଶ୍ରୀ ହରି ମୁଁ ତୁମର ବନ୍ଦନ ଠିକ କରିପାରେ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...