Friday 25 January 2019

ଲୁଚିଛି, ନା ଗୋଡ ଦିଟା ତୋର ଦିଶୁଛି (ଚତୁରୀର ସତୁରି କଥା)


ତୋ ମନମଧୁବନେ ଜୋଛନା ପରସ,
ଜକ ଜକ କରି ଦିଶୁଛି,
ତୋ ମନ କାନନୁ ଗୋଲାପର ବାସ,
ଚଉଦିଗେ ମାଡି ଯାଉଛି,
ଚତୁରୀ ଲୋ, ତୁ ଭାବୁଛୁ ସବୁ ଲୁଚିଛି,
ଲୁଚିଛି, ନା ଗୋଡ ଦିଟା ତୋର ଦିଶୁଛି । 

ପଣତ କାନିରେ ମୁହଁ ଲୁଚା ହସ
ସତ ମିଛ ଖୋଲିଦଉଛି,
ନିଜଆଡୁ ତୋର କୈଫିୟତ ପେଶ,
ଚୋରକୁ ଧରାଇ ଦେଉଛି,
ଚତୁରୀ  ଲୋ, ତୁ ଭାବୁଛୁ ସବୁ ଲୁଚିଛି,
ଲୁଚିଛି, ନା ଗୋଡ ଦିଟା ତୋର ଦିଶୁଛି । 

ରାତି ଅଧାଟାରେ ନିଦ୍ରା ତେଜି ବସ,
ଚାନ୍ଦ ସେ କଥାକୁ ଦେଖିଛି, 
ଝରକା ପାଖକୁ ଲୁଚି ଲୁଚି ଆସ,
ତା  ଆଖି ତୋଠାରେ  ପଡିଛି, 
ଚତୁରୀ  ଲୋ, ତୁ ଭାବୁଛୁ ସବୁ ଲୁଚିଛି,
ଲୁଚିଛି, ନା ଗୋଡ ଦିଟା ତୋର ଦିଶୁଛି । 

ବିରହ ବିଧୁର ତୋ ମୁହଁ ବିରସ,
ତୋର ମନୋସ୍ଥିତି କହୁଛି,
ବିନା କାରଣରେ ତୋର ଦୀର୍ଘଶ୍ଵାସ,
ତୋ ବିଳାପ ଗାଇଯାଉଛି,
ଚତୁରୀ  ଲୋ, ତୁ ଭାବୁଛୁ ସବୁ ଲୁଚିଛି,
ଲୁଚିଛି, ନା ଗୋଡ ଦିଟା ତୋର ଦିଶୁଛି । 


No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...