Wednesday 21 November 2018

ତୋ ଭକ୍ତି ପଥଟି

ତୋ ଭକତି ପଥ ଜଗା ବହୁତ ବିଷମ,
ଅନ୍ତରାୟ ଭେଳି ଭେଳି ହେଉଛି ଆଗମ।

ସଂସାର ଦାୟିତ୍ଵ ପ୍ରେମ ପ୍ରୀତିର ବନ୍ଧନ,
ଦୁନିଆର ରଙ୍ଗାରଙ୍ଗର ଯା ଆକର୍ଷଣ,
ଇନ୍ଦ୍ରିୟଭୋଗ ଲାଳସା ସର୍ବଥା ଅଦମ୍ୟ,
ଭକତି ନିଷ୍ଠା ପଥକୁ କରୁଛି ଦୁର୍ଗମ ।

ଗରିଷ୍ଠ ସେ ମୋହ ମାୟା ବନ୍ଧନକୁ କାଟି,
ତୋ ପବିତ୍ର ଚରଣରେ ଦେଇ ଶୁଦ୍ଧ ମତି,
ତୋ ପୂଣ୍ୟ ପ୍ରୀତି ପିୟୁଷ କରିଯିବା ପାନ,
ଦେହଧାରୀ ପ୍ରାଣୀ ପକ୍ଷେ ଅତ୍ୟନ୍ତ କଠିନ।

ଦେବେ ଦୁର୍ଲଭ ଯାହାର କରୁଣା କଟାକ୍ଷ,
ଋଷିଙ୍କ ଅକଳ୍ପନୀୟ ଯେ ପୁଣ୍ଡରୀକାକ୍ଷ, 
ନୋହେ ତ ସହଜ ତାହାର ପ୍ରତିପୂଜନ, 
ବଡ ଦୁସାଧ୍ୟ ହେଇବା ତା ପ୍ରୀତିଭାଜନ।

କୃପା ବିନା ନୋହିବ ତୋ ଭକ୍ତି ସାଧନ,
ତୋ ଭାବସୃଷ୍ଟିର ସ୍ଵୟଂ ହୁଅ ତୁ କାରଣ,
କର କୃପାବୃଷ୍ଟିରେ ମୋ ଚିତ୍ତକୁ ସିଞ୍ଚନ,
ସାର୍ଥକ ହେଉ ଜୀବନ ପାଇ ଭାବ ଧନ ।




No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...