Friday 2 November 2018

ନୀଳାଦ୍ରିବିଜେ ୬

"ଚାଣ୍ଡାଳୀ ଶ୍ରିୟାର ଘରେ ବିଜେ କଲ,
ଚାତୁରୀ କରି ଶ୍ରୀମନ୍ଦୀରେ ଫେରିଲ ।

ଚିନ୍ତା ନ କଲ ବାରେ ପତ୍ନୀ ଧରମ, 
ଚକ୍ରାନ୍ତ କରି ରଖିଲ ନିଜ ଢମ । 

ଚପଳା ସଦା ତୁମ ମତି ଅସ୍ଥିର, 
ଚନ୍ଦ୍ରିମ କ୍ଷଣେ, କ୍ଷଣେ ଅମା ପ୍ରକାର ।

ଛଛନ୍ଦ ନୁହେଁ ତୁମେ ଆଡନୟନା,
ଛଟା ଦେଖାଇ ମୋର ହୋଇଲ ବାମା।

ଛାଡ ତୁମ ପିତାଙ୍କ ଗରଜ କଥା,
ଛଟ ପଟ କୂଳରେ ପିଟନ୍ତି ମଥା ।"

"ଛିଗୁଲିର ପ୍ରଭୁହେ ରହିଛି ସୀମା,
ଛାଡ ଛଳି ଗୋବିନ୍ଦ ଛିଦ୍ର ଖୋଜିମା ।
                    
ଜଗନ୍ନାଥ ମୋ ପିତୃ ନିନ୍ଦା ନ କର,
ଜାଣ ସେ ସମ୍ବନ୍ଧରେ ତୁମ ଶ୍ଵଶୂର।

ଜଣା ଆମ୍ଭଙ୍କୁ ତୁମ୍ଭର ମହାରଥ
ଜଳ ପରି ତରଳ ତୁମ୍ଭ ଶପଥ ।

ଜଳକା ଦେବାସୁରେ ତୁମେ କରିଲ,
ଜାଣି ସୁନ୍ଦରୀ ମୋର ହାତ ଧରିଲ ।"
                     
"ଝଗଡା ଛାଡ ମଣୋହି ବେଳ ହେଲା,
ଝାଉଁବଣ ଉହାଡେ ଜହ୍ନ ଉଠିଲା ।

ଝଙ୍କୃତ ଘଣ୍ଟ ଘଣ୍ଟା ହେଲା ମନ୍ଦୀରେ,
ଝୁଙ୍କ ନୁହେଁ ଉଚିତ ତୁମ ପାଶରେ।

ଟଙ୍କ ହୋଇବ ରସଗୋଲା ସକଳ,
ଟକ ଟକିଆ ମୋ ମନ ହେଲା ବିକଳ।

ଟସର ଶାଢୀ ଦେଖ କେଡେ ସୁନ୍ଦର
ଟହକହାସୀ ତୁମେ ମୋ ଗଳାହାର।

ଠୁଳ କରି ଆଣିଛି ସୁନାଗହଣା,
ଠାକୁରାଣୀ ହେଉ ଗୁହାରୀ ଶୁଣିମା।

ଠକିବିନି ତୁମକୁ ମୁଁ ଆଉ କେବେ,
ଠିକିଲି ବହୁତ ରହି ଦୂର ଠାବେ।

ଠିକ କରି କହୁଛି ସତ୍ୟ ବଚନ,
ଠାକୁରାଣୀ ତୁମେ ମୋ ମନ ଜୀବନ ।

ଡମରୁମଧ୍ୟା ଘେନ ବଚନ ମମ,
ଡେରା ଛାଡିବିନି ମୁଁ ବର୍ଷ ତମାମ ।"

ଦ୍ରଷ୍ଟବ୍ୟ... ନୀଳାଦ୍ରିବିଜେ ୧,୨,୩,୪,୫ ଆଦ୍ୟ ଅକ୍ଷର ଅ ଠାରୁ ଅଂ ପର୍ଯ୍ୟନ୍ତ ଯାଇଥିଲା। ନୀଳାଦ୍ରିବିଜେ୬ ଆଦ୍ୟ ଅକ୍ଷର ଚ ଠାରୁ ଆରମ୍ଭ ହୋଇ ଆଦ୍ୟ ଅକ୍ଷର ଡ ଠାରେ ଶେଷ ହେଲା। ଲକ୍ଷ୍ମୀ-ଜଗନ୍ନାଥଙ୍କ ଝଗଡା ମୀମାଂସା ଆଡକୁ ଗତି କଲା ପରେ ଏବେ ମିଳନ ଆଡକୁ ଗତି କରିବ। ସବୁ ମୋ ପ୍ରଭୁ-ମାଙ୍କ ଇଚ୍ଛା।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...