Friday 12 July 2019

ବାହୁଡା ଯାତ୍ରା

ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ
ଚାଲିଲେ ବଡଠାକୁର,
ନଅ ଦିନ ଧରି ଦୂରରେ ରହି ସେ 
ଝୁରୁଛନ୍ତି ଶ୍ରୀମନ୍ଦିର। 

ଲକ୍ଷ୍ମୀ ଠାକୁରାଣୀ ମାନ କରିଛନ୍ତି
ଜାଣିଛନ୍ତି ଜଗନ୍ନାଥ,
ଘରଣୀଙ୍କ କ୍ରୋଧ ପାଇଁ ଆଶଙ୍କିତ,
ଧରାଆଧାରଙ୍କ ଚିତ୍ତ।   

ଭଳି ଚାଲୁଛନ୍ତି କିପରି କରିବେ
ପତ୍ନୀଙ୍କ ମାନଭଞ୍ଜନ, 
କି କି ଦେଇ ତୋଷ  କରିବେ ଦେବେଶ
ଦେବୀଙ୍କ ବିଷର୍ଣ ମନ।


କମଳାଙ୍କ ପ୍ରତି ଅସୀମ ବିଶ୍ଵାସେ
ରଥାରୂଢ ଜନାର୍ଦନ,
ଅପ୍ରକଟ ରଖି ହୃଦୟ ଭାବ ସେ
ଭକ୍ତଙ୍କୁ ଦ୍ୟନ୍ତି ଦର୍ଶନ। 

ରଥପରେ ଦେଖି ବିଶ୍ଵନିୟନ୍ତାଙ୍କୁ 
ଭକ୍ତ ହୁଏ  ଆତ୍ମହରା,
ଆଖି କୋଣୁ ତାର ବହି ଆସୁଅଛି,
ଭାବ  ଅମୃତର ଧାରା । 

ନୃତ୍ୟ କଳା, ଲୟ ତାନରୁ ବାହାରେ 
ନାଚି ନାଚି ଚାଲେ ଭକ୍ତ,
କିଏ ବା ପଚାରେ କେ କେଉଁ ବିଧିରେ, 
ପ୍ରଭୁ  ସନ୍ତୋଷରେ ରତ ।

ଯେ ଯେଉଁ ପ୍ରକାରେ କରୁ ତୋର ପୂଜା
ଭକତି ତୋହର ମୂଳ,
ସନ୍ତୁଷ୍ଟ, ବରଦ ଭକ୍ତଠାରେ ସଦା,
ତୁମେ ଥାଅ ଆଦିମୂଳ।

ନମସ୍ତେ ଶ୍ରୀ ଜଗନ୍ନାଥ ପୂର୍ଣ ପୂଣ୍ୟମୟ,
ସର୍ବ କଲ୍ୟାଣ କାରଣ ସଦୟ ହୃଦୟ।
କମଳାପତି ଗୋବିନ୍ଦ ଭକତଙ୍କ ପ୍ରାଣ,
ଚରଣ ସ୍ମରଣ ଦାସ କରେ ପୁନଃ ପୁନଃ।
ଜୟ ଜଗନ୍ନାଥ। 




No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...