Wednesday 3 July 2019

ଯଶୋଦାଙ୍କ ଚିନ୍ତା

ଭାଳନ୍ତି ଯଶୋଦା ପୁଅ ମୋର ଛୋଟ,
ନିରୀହ ଗୋପ କୁମାର,
ବାଳୁତ କାଳରେ ଭାଗ୍ୟ ଯୋଗ ବଳେ,
କଲା ଯେତେ ଚମତ୍କାର। 

କେଉଁ ଜନମର ଦାଉ ସାଧିବାକୁ,
ଆସୁଥିଲେ ନିଶାଚର,
ପୂର୍ବ ସୁକୃତରୁ ବିଭୁ କୃପା ଯୋଗୁଁ,
ପାଇଗଲା ସେ ନିସ୍ତାର। 

ବଡ ଅସହାୟ ଲବଣୀ କୋମଳ 
ତନୁ ତାର ସୁକୁମାର,
ଏହା ଭାଳି ମାତେ ବାତ୍ସଲ୍ୟ ପ୍ରେମରେ,
ଥିଲେ ଯତ୍ନରେ ତତ୍ପର ।

ଚିନ୍ତି ବାରେ ମାତେ, କୁହ ସତ୍ୟ କରି
ନିରୀହ କାହା ବେଭାର,
କିଏ କାହା ଯତ୍ନେ ବଞ୍ଚିଛି ସଂସାରେ
ତୁମେ କି ସେ ମାୟାଧର । 

ଯାହାକୁ ଭାବୁଛ ବାଳୁତ ମାଆ ଗୋ
କର୍ତା ସେ ଏହି ସୃଷ୍ଟିର,
ଶକ୍ତିର ସ୍ରୋତ ସେ ଅସହାୟ ନୁହେଁ,
ଭ୍ରମ ଏ ତୁମ ଦୃଷ୍ଟିର।

ଚିମୁଟ କାଟୁଛ ଯାହାର ଗାଳରେ,
ହୋଇ ତୁମେ କ୍ରୋଧଭର,
ପାଇବାକୁ ବୁନ୍ଦେ ତା ସ୍ନେହ ସାଗରୁ
ଭକ୍ତ ଛାଡେ ଘର ଦ୍ଵାର।

ଦଧି ମଥି ବସ ତାଙ୍କୁ ଖୁଣ୍ଟେ ବାନ୍ଧି
ଯା' ପ୍ରେମେ ବନ୍ଧା ସଂସାର 
କି ବାନ୍ଧିବ ମାତେ ସେ ଯେ ସଦା ମୁକ୍ତ,
ସେ ଯେ ବ୍ରହ୍ମ ନିରାକାର। 

ସେ ସକଳ କର୍ମ, କର୍ମର କାରଣ,
ସେ ହିଁ ଭାଗ୍ୟ, ଭାଗ୍ୟଧର
ନିଜ ଇଚ୍ଛା ମତେ, ତୁମ କୋଳେ ମାତେ,
ଖେଳୁଛନ୍ତି ଲୀଳାଧର। 

ଦେବେ ସ୍ଵର୍ଗପୁରେ ଯାହାର ନିର୍ଦେଶ
ପାଳୁଥାନ୍ତି ନିରନ୍ତର,
ଭୃକୁଟି କୁଞ୍ଚନେ କରେ ଦିବାରାତ୍ର
ଏ ସେହି ପରମେଶ୍ଵର।

ହରି ମାଆ ହୋଇ ହରିଙ୍କ ମାୟାରେ,
ତୁମର ଏ ବ୍ୟବହାର,
ମାୟାର ଘେରରେ ଭକ୍ତିର ପରୀକ୍ଷା
ଚାଲୁଥାଏ ନିରନ୍ତର ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...