Wednesday 31 July 2019

ପ୍ରୀତି ଅଭେଦ୍ୟ ଆମର

ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ,
ପାପୀ ହୋଇ ଗଲେ ଯିବି, ପଛେ ନର୍କ ପୁରକୁ। 

ବନ୍ଧୁ ମହାନ୍ତିର କ୍ଷୁଧା, ତୋ ଚିତ୍ତକୁ ଛୁଇଁଲା,
ତୁଚ୍ଛ ନକ୍ରର କ୍ରନ୍ଦନ, ତୋ କର୍ଣରେ ପଡିଲା,
କି ପାପ ମୁଁ କରିଥିଲି, ଠେଲି ଦେଲୁ ଦୂରକୁ,
ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ। 

କେଡେ ଭରସାରେ ତୋର, ଧରିଥିଲି ଚରଣ,
ବଡଠାକୁର ଜାଣି ମୁଁ ଯାଇଥିଲି ଶରଣ,
ଧ୍ୟାନ ନ ଦେଲୁ ତିଳେ ତୁ, ମୋ ଦୁଃଖ ନିସ୍ତାରକୁ,
ଦେଖିବିନି ଜଗନ୍ନାଥ, ତୋ ମନ୍ଦିର ଦ୍ଵାରକୁ।

ଧରିବୁନି ଜଗନ୍ନାଥ, ବାଚଳର ଗିରକୁ,
କ୍ଷମା କରିଦେବୁ ବାରେ, ତୋ ପଦ ଚାକରକୁ,
ପ୍ରୀତି ଅଭେଦ୍ୟ ଆମର, ଏ ପୁର ସେ ପୁରକୁ,
ରହି ପରିବିନି ଛାଡି, ତୋ ମନ୍ଦିର ଦ୍ଵାରକୁ।  

( ଅଭିମାନ, ଝଗଡା ପୁଣି ସମର୍ପଣ,
 ଏ ରୀତି ଦାସ-ହରିଙ୍କ ସମ୍ବନ୍ଧର ଜାଣ)
(ମୋ ହରି ଭଜନ ଭିଡିଓ ଆଲବମର ଅନ୍ୟ ଏକ ନିବେଦନ )

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...