Saturday 6 July 2019

ରହି ନ ଯୋଗାଇ,ଛାଡି ନ ଯୋଗାଇ

ତୁମେ....
ଛାଡିଲି ତୁମକୁ ନୀଳ ଆକାଶକୁ
ଯାଅ ଉଡି ଯାଅ ଦୂରେ,
ଶ୍ରଦ୍ଧା, ସାଧନାର ପକ୍ଷ ଲଗାଇ,
ଅତିମାନସିୟ ସ୍ତରେ।

ତୁମ ନୀଳମଣି ପ୍ରତୀକ୍ଷା କରିଛି,
ତୁମକୁ ଭକତି ପୁରେ,
ରହିଯିବ କାହିଁ ତୁମେ ମୋ ପାଇଁ
କି ଅବା ଅଛି ମୋ ଠାରେ।

ମୁଁ....
ମିଛ ଦୁନିଆରେ ତୁମେ ଏକା ସତ୍ୟ,
କର୍ଦମେ ତୁମେ କମଳ,
କେମିତି ମୁର୍ଚ୍ଛିବି ତୁମକୁ ହେ ସାଥି,
ତୁମେ ଏ ବୃନ୍ତର ଫୁଲ।

ତୁମ ସାଥେ ରହି ପାଇଛି ମୁଁ ତାକୁ,
ଛଳପୂର୍ଣ ଏ ଜଗତେ,
ଏ ବେଳେ କହୁଛ ଚାଲି ଯାଅ ବୋଲି,
ବଞ୍ଚି ରହିବି କେମନ୍ତେ ।

ଭାଙ୍ଗି ଯିବି ସିନା ତୁଛା ଅଦିନରେ,
ମନ୍ଦ ହେବ ମୋର ଭାଗ୍ୟ,
ଯାଅ ନିଶ୍ଚିନ୍ତରେ କନ୍ଦାଇ ସାଥୀକୁ,
ଦେଉଛି ମୁହିଁ ସୁଯୋଗ ।

ଲିଭି ଯିବ ଦୀପ ହେଲେ ଶିଖା ଦୂର
ଘୋଟିବ ଘନ ଅନ୍ଧାର,
ଅଣ୍ଡାଳି ଚାଲିବି ଅନ୍ଧାରେ ମୁଁ ପଥ
ଯାହା ଭାଗ୍ୟେ ଥିବ ମୋର। 

କହିବିନି କିଛି କାହାକୁ କହିବି
ତୁମେ କଲ ନିର୍ବାସିତ,
ଆଶିଷ ଦେବି ମୁଁ ରହିବ ସୁଖରେ,
ମୋ ଠାରୁ ଦୂରେ ମୋ ମିତ। 
ତୁମେ....
ରହିବି କେମତି ନିଶ୍ଚିନ୍ତରେ କୁହ
ତୁମକୁ ମୁଁ ଲୁହ ଦେଇ,
ତୁମ ସହ ସାଥି ରହି ନ ଯୋଗାଇ,
ତୁମକୁ  ଛାଡି ନ ଯୋଗାଇ।   







No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...