Monday 28 May 2018

ଲୀଳାଧର ହରି

ଲୀଳାଧର ହରି, ଲୀଳା ତୁମ ଅସୁମାରି, (ଘୋଷା)
କଳି କି ପାରିବି କଟିଲେ ଜୀବନ ଯେତେ ସୁଗୁଣ ତୋହରି।

ତୁମ ସମ ପ୍ରଭୁ ହେବ କିଏ ଆଉ ଜଗତ ଯା ଖେଳଘର,
ଅରକ୍ଷ ରକ୍ଷକ, ଭକତ ବତ୍ସଳ ତୁମେ ହେ ମୁରଲୀଧର ।

ନାଚିବ କେ ଅବା ଗୋପୀଙ୍କ ଦୁଆରେ ପାଇ ସେ ଲବଣୀ ସର,
କମି ବା କି ତୋର  ଭାବର ଠାକୁର ସସାଗରାଧରା ଯାର ।

ବାନ୍ଧି ହେବ ନିଜେ ରଶି ବନ୍ଧନରେ ରଖିବାକୁ ମା ମାନ,
ବନ୍ଧା ଯା ମାୟାର ବନ୍ଧନରେ ସଦା ସମସ୍ତ ଜନ ଜୀବନ ।

ଖେଳୁ ଖେଳୁ କେବା ଜଗତ ହିତରେ ହରିବ ଦୈତ୍ୟଙ୍କ ପ୍ରାଣ,
କନ୍ଦୁକ ଆଳରେ କରିବ କେ ଅବା କାଳୀୟ ଦର୍ପଦଳନ ।

ବିଶ୍ଵରାଜ ହୋଇ ବରିନେବ କେବା ହସି ହସି ଦୂତପଣ,
ଶାନ୍ତିର ଅନ୍ତିମ ପ୍ରଚେଷ୍ଟା କରିବ ଏଡିବାକୁ ମହାରଣ ।

ସାରଥି ହୋଇ କେ ବାହିନେବ ଆଉ ସମରେ ଭକତ ରଥ,
ନିଜ ବଚନକୁ  ତୁଚ୍ଛ  କରି  କେବା  ରଖିବ  ଭକ୍ତ  ଶପଥ ।

ଅଭକ୍ତ ପ୍ରଦୀପ୍ତ କରି କି ପାରିବ ତୁମ୍ଭ ଲୀଳାର ବଖାଣ,
ଯେତେ ଖୋଳୁଥିବି ସେତେ ପାଉଥିବି ମହିମାବନ୍ତ ତୋ ଗୁଣ।




No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...