Monday 13 August 2018

ନୀଳାଦ୍ରିବିଜେ-୩

"ଐଶ୍ଵର୍ଯ୍ୟରେ ମୋ କାର୍ଯ୍ୟ ନାହିଁ ଗୋବିନ୍ଦା,
 ଐଶ୍ଵରିକ କୃପାରୁ ମୁଁ ଯେ ଧନଦା ।

ଐକ୍ୟ ଭାଇ ଭଉଣୀ ସହ ତୁମ୍ଭର,
ଐନ୍ଦ୍ରଜାଲିକ ମୋ ସହ ବ୍ୟବହାର ।

ଓଜସ୍ଵିତା ତୁମର ସର୍ବ ବିଦିତ
ଓତଃପ୍ରୋତ ମୁଁ ସେଥିରେ ଜଗନ୍ନାଥ।

ଓଜର ତୁମ ଠାରେ ହେ ଆଦିମୂଳ,
ଓଥରା ପରି ଘରୁ ବାହାରି ଗଲ ।

ଔଦ୍-ବାହିକ ସମ୍ବନ୍ଧ ମନେ ନ କରି,
ଔଦାସ୍ୟ ଭାର୍ଯ୍ୟା ପ୍ରତି କଲ ଶ୍ରୀହରି ।

ଔଚିତ୍ୟ ଅନୌଚିତ୍ୟ ଧ୍ୟାନ ନ କରି,
ଔଦାର୍ଯ୍ୟ ଛାଡି ଘରୁ ଗଲ ବାହାରି।

ରୁଚିକର ନ ହେଲା ମହାପ୍ରସାଦ,
ରୁଚି ରଖିଲ ଆଉ କାହିଁ ଗୋବିନ୍ଦ ।

ରୁଷିଙ୍କ ଧ୍ୟାନାତିତ ଜଗତପତି,
ରୁଚିକର କି ଏହା ତୁମ୍ଭର ପ୍ରତି ?

ଲୁଚି ପଳାଇଗଲ ଗୁଣ୍ଡିଚା ଘର,
ଲବଣୀଚୋର ଚୌର ଗୁଣ ତୁମର ।

କେଳି କଦମ୍ବ ନୁହେଁ ମୋ ଶ୍ରୀମନ୍ଦିର
କାହ୍ନା କୁଟିଳ କିବା ହେଲ ଠାକୁର ?

କହିବି କାହାକୁ ମୁଁ ମୋ ମନ କଥା,
କହିବା-ଶୁଣିବା-ଲୋକ ଦେଲେ ଯା ବ୍ୟଥା ।

କରମ ମୋର ମନ୍ଦ ବିଧାତା ବାମ,
କାନ୍ଦି ମରିବା ସିନା ମୋହର କର୍ମ ।" କ୍ରମଶଃ......

ଦ୍ରଷ୍ଟବ୍ୟ... 
(୧) ନୀଳାଦ୍ରିବିଜେ-୧ ଅ  ଆଦ୍ୟ ଅକ୍ଷରରୁ ଆରମ୍ଭ ହୋଇ   ଆଦ୍ୟ ଅକ୍ଷରରେ ସମାପନ ହୋଇଛି।
     ନୀଳାଦ୍ରିବିଜେ-୨ ଇ  ଆଦ୍ୟ ଅକ୍ଷରରୁ ଆରମ୍ଭ ହୋଇ ଏ  ଆଦ୍ୟ ଅକ୍ଷରରେ ସମାପନ ହୋଇଛି।
    ନୀଳାଦ୍ରିବିଜେ-୩ ଐ  ଆଦ୍ୟ ଅକ୍ଷରରୁ ଆରମ୍ଭ ହୋଇ କ  ଆଦ୍ୟ ଅକ୍ଷରରେ ସମାପନ ହୋଇଛି।
(୨)ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତ୍ୟେକ ନୀତି ମାନବୀୟ, ଏହା ପ୍ରଭୁଙ୍କର ଲୀଳା ଖେଳା । ତେଣୁ ବାହୁଡା ଅବସରରେ ଲକ୍ଷ୍ମୀ-ଜଗନ୍ନାଥଙ୍କ କଳିକୁ ମାନବୀୟ କରିବାର ମୋର ପ୍ରୟାସ । "ଯେ କୃଷ୍ଣ ସେ ଜଗନ୍ନାଥ" ଏହି କଥା ପ୍ରତି ନୀଳାଦ୍ରିବିଜେ ଲେଖିବା ସମୟରେ ମୋର ସର୍ବଦା ଧ୍ୟାନ ରହିଛି ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...