Monday 10 September 2018

ବନ୍ଧୁ

ତୁମ ପରା ବନ୍ଧୁ ଥାଉଁ ଥାଉଁ କୃଷ୍ଣ,
ବନ୍ଧୁ ମୁଁ ଲୋଡିବି କାହିଁ,
ସଂସାର ଅସାର ପ୍ରାପ୍ତି ଅପ୍ରାପ୍ତିରେ,
କାର୍ଯ୍ୟ ମୋର କିଛି ନାହିଁ ।

ସବୁ ଭବ ରଶି ଛିଡିଗଲେ ଯୋଡି,
ଯାଏ ଯେଉଁ ଦିବ୍ୟ ଡୋର,
ଆଜି ଏତେ ଦିନେ ତୋର କୃପା ବଳେ,
ପାଇଛି ମୁଁ ତାର ଟେର।

ଶାଶ୍ଵତ ପ୍ରାପତ କରି କେବା ମୂଢ,
ଖୋଜେ ଭଙ୍ଗୁର ସମ୍ପଦ,
ତୋ ପ୍ରେମର ଗୂଢ ଆନନ୍ଦ ପାଖରେ,
ତୁଚ୍ଛ ସିନା ରାଜ ପଦ।

ପାରିଜାତ ପୁଷ୍ପ ହାତରେ ପାଇ କେ,
କରେ ଗୋଲାପର ଆଶା,
ଗଙ୍ଗାକୂଳେ ଥାଇ କେହି କିବା ସ୍ନାନ,
କରିବାକୁ ଖୋଜେ ବର୍ଷା ।

ଦେଲେ ଦିଅ ପଛେ କଷ୍ଟ ମୋତେ ଯେତେ,
ସେଥିକୁ ନାହିଁ ଆପତ୍ତି,
ତୋ ପ୍ରୀତି କଲ୍ଲୋଳ ମୋ ହୃଦ ସାଗରେ,
ଉଠୁ ଥାଉ ଏଇମିତି।

ବନ୍ଧୁ ପଣେ ପ୍ରଭୁ ତତେ ମୁଁ ଗଣିଛି,
କରିବୁନି ମୋତେ ପର,
ବଡ ଭରସାରେ, ଅତି ଶରଧାରେ,
ତୋତେ ଦେଇଛି ଅନ୍ତର ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...