Thursday 6 September 2018

ନିରୀହ ଦେବରାଜ

ରୂପାର ଦୋଳିରେ ସଜା,
              ମଖମଲି ତୁଳାତୁଲ୍ୟ ଶେଯ,
ଦୋଳି ଖେଳୁଛନ୍ତି ଆଜ         
          ଦେଖ ନିଷେବିତ ଦେବରାଜ।

ରୂପ ଭବ୍ୟ, ହସ ଦିବ୍ୟ
            ସର୍ବାଙ୍ଗ ସୁନ୍ଦର ସେ ମୁରାରୀ,
ଲୀଳା ଖେଳା ଅଲୌକିକ,
      ପ୍ରଭାରେ ଚୌଦିଗ ଅଛି ଭରି।

ଦେଖି ଚାଲୁଛନ୍ତି ହରି
             ନିରୀହ ସୁନ୍ଦର ଦୃଷ୍ଟି ଫେଇ,
ସତେକି ଅପରିଚିତ
       ସ୍ଵ ସୃଜନେ ମୋ କଳା ଗୋସାଇଁ।

ଟାଣୁଛନ୍ତି ଦୋଳି ରଶି
         ଭକ୍ତବୃନ୍ଦ  ହୋଇ ଭାବାବେଶ,
ଯାହାଙ୍କ ଶ୍ଵାସର ଡୋରି
          ଧରିଛନ୍ତି ଟାଣେ ସେ ଦେବେଶ ।

କିଏ ସତେ ଅସହାୟ,
             କିଏ ଅବା ଖେଳୁଅଛି ଦୋଳି,
କିଏ ଭିଆଇଛି ଖେଳ,
        ଝୁଲାଉଛି କେବା କାହା ଦୋଳି।

ତତ୍ଵ  ଏଠି   ଲୁକ୍କାୟିତ,
         ମାୟାଦ୍ଵାରା ବୋଧ ଆଚ୍ଛାଦିତ,
ମାୟା ହିଁ ସତ୍ୟ ପ୍ରତୀତ,
        ମାୟା ଅମାରେ ସତ୍ୟ ଭ୍ରମିତ ।

ପ୍ରେମଭାବରେ ସମ୍ପୂର୍ଣ
           ଭକତି ବିଶ୍ଵାସେ ଭରପୁର,
ତୋ ଦାସଙ୍କ ଦାସ ମନ,
         ସ୍ଥିର, ନୟନରେ ନୀର ଧାର।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...