Saturday 22 September 2018

ଶିଖିପୁଛଧାରୀ

କଳି ତ ନୁହଁଇ ଶିରୀ ଶିଖିପୁଛଧାରୀର,
ଗାଇଲେ ନ ସରେ ଗୁଣ ମୋହନ ମୁରାରୀର ।

ବାଲ୍ୟକାଳେ କ୍ଷୀର ଛଳେ ପୂତନା ବିନାଶିଲେ,
କାଳିନ୍ଦୀରେ ଖେଳେ ଖେଳେ କାଳୀୟକୁ ପେଷିଲେ।

ପୋଗଣ୍ଡରେ ଗୋପାଙ୍ଗନା ମେଳେ ରାସ ରସରେ,
ଲୀଳା ଖେଳା କରିଗଲେ ହରଷ ବିଳାସରେ।

ଯୁବା ବୟ ଆଗତରେ ଉଭା କଂସପୁରରେ,
ପାପୀ ନାଶି ଧର୍ମ ସ୍ଥାପି ମଥୁରା ନଗରରେ।

ଧର୍ମ କ୍ଷେତ୍ର କୁରୁକ୍ଷେତ୍ରେ ପାଣ୍ଡବଙ୍କୁ ସହାୟ,
ହୋଇ ଗୀତାଜ୍ଞାନ ଦେଇଗଲେ ସେ ଦେବରାୟ।

ଅସାର ସଂସାର ସାର ସେ ଗୀତାର ବଚନ,
ପବିତ୍ର, ଶାଶ୍ଵତ, ସତ୍ୟ, ଜ୍ଞାନଗର୍ଭା, ମହାନ।

ଜୀବନ ଜୀବନାତୀତ ଭବ ପୀଡା ତାରକ  
ଯୁଗଶ୍ରେଷ୍ଠ ସୁଷମ ବଦ୍ଧ ବୁଦ୍ଧି* ଉନ୍ମୋଚକ।

ସେ କୃଷ୍ଣ ଅବନୀଈଶ ଚରଣେ ମୋ ନମନ,
ରଖ ଅଜ୍ଞାନ ପ୍ରଦୀପ୍ତ ଗଲା ତୁମ ଶରଣ।

ଦ୍ରଷ୍ଟବ୍ୟ....ବଦ୍ଧ ବୁଦ୍ଧି... ମଣିଷର ବୁଦ୍ଧି ପାର୍ଥିବ ପଦାର୍ଥ ସହ ବନ୍ଧା ତେଣୁ ସୀମିତ, ଗୀତା ସବୁ ପ୍ରକାରେ ସେ ବୁଦ୍ଧିକୁ ପାର୍ଥିବରୁ ଉନ୍ମୋଚିତ କରି ପରମ ସହ ଯୋଡିବା ପାଇଁ ଉଦ୍ଦିଷ୍ଟ।

No comments:

Post a Comment

ଆଜି ପରା ରଥ ଯାତ

https://youtu.be/38dYVTrV964 ଆଜି ପରା ରଥ ଯାତ, ଲୋ ସଙ୍ଗିନୀ ଆଜି ପରା ରଥ ଯାତ  ବଡ ଦାଣ୍ଡ ଆଜି ଦିବ୍ୟ ବୈକୁଣ୍ଠ ଲୋ  ରଥେ ବିଜେ ଜଗନ୍ନାଥ।  ଏ ଲୀଳାକୁ ଦ...